fbpx

ଆଉ ମାତ୍ର ୪ ରାଉଣ୍ଡ ଗଣତି ବାକି, ଦିଦି ୪୫ ହଜାର ଭୋଟ ଆଗରେ: କଡ଼ ଲେଉଟାଇ ପାରିବ କି ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱେଲଙ୍କ ମଧ୍ୟରେ ଲଢ଼େଇ ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ୧୭ ରାଉଣ୍ଡ ଭୋଟ ଗଣତି ସମାପ୍ତି ହୋଇଛି । ମମତା ବର୍ତ୍ତମାନ ସୁଦ୍ଧା ୪୫ ହଜାର ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ଭବାନୀପୁରରେ ମମତା ଆଗରେ ଥିବାରୁ ଟିଏମସି କର୍ମୀମାନେ ବିଜୟ ଉତ୍ସବ ପାଳନ ଆରମ୍ଭ କରିସାରିଲେଣି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦିଦିଙ୍କୁ ବିଜୟ ଶୁଭେଚ୍ଛା ମଧ୍ୟ ଜଣାଇ ସାରିଲେଣି । ତେବେ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ମମତାଙ୍କୁ ୬୭ ହଜାର ୬୨୦ଟି ଓ ପ୍ରିୟଙ୍କାଙ୍କୁ ୨୧ ହଜାର ୮୮୨ଟି ଭୋଟ ମିଳିଛି । ଆଉ ମାତ୍ର ୪ଟି ରାଉଣ୍ଡ ଭୋଟ ଗଣତି ବାକିଥିବା ବେଳେ ବିଜେପି କଡ଼ ଲେଉଟାଇବା କମ୍ ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଭବାନୀପୁର ବିଧାନସଭା ଆସନରେ ୫୭ ପ୍ରତିଶତ ଭୋଟିଂ ହୋଇଛି । ପୂର୍ବରୁ ନନ୍ଦୀଗ୍ରାମ ଆସନରୁ ଦିଦି ପରାସ୍ତ ହୋଇଥିବାରୁ ନିଜର ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ପାଇଁ ଏହି ସିଟରୁ ଜିତିବା ଦିଦିଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେଣୁ ଉଭୟ ଟିଏମସି ଓ ବିଜେପି ଆଜିର ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.