ମମତା ଚାହାଁନ୍ତି ଫାଶୀ, ତଳ କୋର୍ଟର ଆଜୀବନ କାରାବାସ ରାୟକୁ ହାଇକୋର୍ଟରେ ବିରୋଧ
ଆରଜି କର ମେଡିକାଲ କଲେଜ ରେପ-ମର୍ଡର ଘଟଣା। ଅଭିଯୁକ୍ତର ଫାଶୀ ପାଇଁ ହାଇକୋର୍ଟରେ ମମତା ସରକାର। ତଳ କୋର୍ଟ ରାୟରେ ଅସନ୍ତୁଷ୍ଟ ପୀଡ଼ିତାଙ୍କ ପରିବାର। କୋର୍ଟ ଆଗରେ ଶହ ଶହ ଟ୍ରେନି ଡାକ୍ତରଙ୍କ ବିକ୍ଷୋଭ।
କୋଲକାତା: ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତର ରେପ-ମର୍ଡର ଘଟଣାରେ କୋର୍ଟଙ୍କ ଫଇସଲା, ସନ୍ତୁଷ୍ଟ କରିପାରିନି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓ ଜୁନିୟର ଡାକ୍ତରମାନଙ୍କୁ।
ପୂର୍ବରୁ ପୀଡିତାଙ୍କ ପରିବାର ଲୋକେ ସହାୟତା ବଦଳରେ ମାଗିଥିଲେ ନ୍ୟାୟ। ପଶ୍ଚିମବଙ୍ଗ ସରକାର ବି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯାଇଛନ୍ତି ହାଇକୋର୍ଟ। ଏବେ ତଳ କୋର୍ଟଙ୍କ ରାୟ ଉପରେ ଜୋରଦାର ହେଲାଣି ପ୍ରତିବାଦ।
ମମତାଙ୍କ ନିଷ୍ପତ୍ତି: କୋର୍ଟଙ୍କ ଏପରି ରାୟକୁ ଗ୍ରହଣ କରିପାରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମମତା ସରକାର ହାଇକୋର୍ଟ ଯାଇଛନ୍ତି। ହାଇକୋର୍ଟ ବି ଏହି ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି।
କୋର୍ଟଙ୍କ ଶୁଣାଣୀ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ କହିବା କଥା ଯଦି କୋଲକାତା ପୋଲିସ ଏହାର ତଦନ୍ତ କରିଥାନ୍ତା ତାହାଲେ ଅପରାଧୀକୁ ମୃତ୍ୟୁଦଣ୍ଡ ମିଳିଥାନ୍ତା।
ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ। କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା ଓ ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି। ଯାହାକି ଗ୍ରହଣୀୟ ନୁହେଁ।
ଜୁନିୟର ଡାକ୍ତରଙ୍କ ପ୍ରତିବାଦ: ସେପଟେ କୋର୍ଟଙ୍କ ଏପରି ରାୟ ଉପରେ ଖୁସି ନାହାନ୍ତି ଜୁନିୟର ଡାକ୍ତର। ତେଣୁ କୋର୍ଟଙ୍କ ରାୟକୁ ପ୍ରତିବାଦ କରି କୋର୍ଟ ବାହାରେ ଶହ ଶହ ଜୁନିୟର ଡାକ୍ତର ପ୍ରତିବାଦ କରିଛନ୍ତି।
ସହାୟତା ନେବାକୁ ମନାକଲେ ପରିବାର: ସଞ୍ଜୟକୁ ଦଣ୍ଡାଦେଶ ଶୁଣାଇବା ବେଳେ,କୋର୍ଟ ପୀଡିତାଙ୍କ ପରିବାରକୁ 17 ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଯାହାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ପରିବାର ଲୋକେ। ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ପରିବାର।
କୋର୍ଟଙ୍କ ରାୟ: ପାଖାପାଖି ପାଞ୍ଚ ମାସର ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ରବିବାର ଦିନ ସିଆଲଦା କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ ସୋମବାର ଦିନ ଏହା ଉପରେ କୋର୍ଟ ରାୟ ଶୁଣାଇ ସଞ୍ଜୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।
ସଞ୍ଜୟର ଅପରାଧ ଜଘନ୍ୟରୁ ଜଘନ୍ୟତର ହୋଇନଥିବା କହି, ତଳ କୋର୍ଟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ପରିବର୍ତ୍ତେ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ଏବଂ ପୀଡିତାଙ୍କ ପରିବାରକୁ 17 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।