fbpx
BJD SKY
BJD SKY

କରୋନା ରୋଗୀଙ୍କୁ ସାହାଯ୍ୟ ପାଇଁ ନିଜ ଅଟୋକୁ କରିଦେଲେ ଆମ୍ବୁଲାନ୍ସ… ସମସ୍ତେ କହୁଛନ୍ତି ସାବାସ୍

BJD

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସଂକଟ ପରିସ୍ଥିତିରେ ସମସ୍ତେ ନିଜ ଧନ-ଜୀବନ ପାଇଁ ବ୍ୟାକୁଳ ହେଉଛନ୍ତି । କିନ୍ତୁ ସେ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଃସ୍ୱାର୍ଥପର ଭାବେ ଅନ୍ୟକୁ ସହଯୋଗର ହାତ ବଢ଼ାଇବାରେ ପଛଘୁଞ୍ଚା ଦେଉନାହାନ୍ତି । ଏପରିକି ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ସାହାଯ୍ୟ କରିବାରେ ସେମାନେ ଖୁସି ଅନୁଭବ କରନ୍ତି । ଠିକ୍ ସେହିଭଳି ଜଣେ ବ୍ୟକ୍ତି ଅଟୋ ଚଳାଇ ନିଜ ଗୁଜରାଣ ମେଣ୍ଟାଉଥିବାବେଳେ ସମ୍ପ୍ରତି ସେ ସମାଜସେବା ପାଇଁ ନିଜକୁ ଉତ୍ସର୍ଗକୃତ ହୋଇସାରିଛନ୍ତି । ନିଜ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କରିବା ସହ କରୋନା ସଂକ୍ରମିତଙ୍କୁ କରୁଛନ୍ତି ସାହାଯ୍ୟ ।

ସୂଚନା ଅନୁସାରେ ୫୧ ବର୍ଷୀୟ ଅଟୋରିକ୍ସା ଚାଳକ ପ୍ରେମଚନ୍ଦ୍ରନ୍ ନିଜ ଅଟୋକୁ ଆମ୍ବୁଲାନ୍ସର ରୂପ ଦେଇଛନ୍ତି । ଆଉ ଏହାରି ମଧ୍ୟରେ ସେ ୫୦୦ ସଂକ୍ରମିତଙ୍କୁ ନିସ୍ୱାର୍ଥପର ଭାବେ ସାହାଯ୍ୟ କରିଛନ୍ତି । ଏଥିପାଇଁ ସେ କୌଣସି ଅର୍ଥ ରାଶି ବା ଭଡ଼ା ନେଇନାହାନ୍ତି । ସେବା ମନୋଭାବ ନେଇ ସେ ସମସ୍ତ ରୋଗୀଙ୍କୁ ମେଡିକାଲ୍ ପହଞ୍ଚାଇ ଆସୁଛନ୍ତି । ପ୍ରେମଚନ୍ଦ୍ରନ୍ କହିଛନ୍ତି ଯେ ସେ ଥରେ ଜଣେ କରୋନା ଆକ୍ରାନ୍ତ ଗର୍ଭବତୀଙ୍କୁ ନିଜ ଅଟୋରେ ମେଡିକାଲରେ ପହଞ୍ଚାଇଥିଲେ । ଏହାପରେ ଅନେକ ଲୋକ ତାଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ସେବେଠାରୁ ସେ ଏଭଳି ସେବାକାର୍ଯ୍ୟ କରିଆସୁଛନ୍ତି ।

ପ୍ରେମଚନ୍ଦ୍ରନ ଆହୁରି କହିଛନ୍ତି ଯେ, ସେ ପ୍ରତ୍ୟେକ କରୋନା ଆକ୍ରାନ୍ତଙ୍କୁ ମେଡିକାଲ୍ ପହଞ୍ଚାଇବା ପରେ ଅଟୋକୁ ସମ୍ପୂର୍ଣ୍ଣ ସଫାସୁତୁରା ତଥା ସାନିଟାଇଜ୍ କରୁଛନ୍ତି । ନିଜେ ମଧ୍ୟ ଯଥେଷ୍ଟ ସତର୍କ ରହୁଛନ୍ତି । ୩୦ ବର୍ଷ ହେଲା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ପ୍ରେମଚନ୍ଦ୍ରନ୍ ହେଉଛନ୍ତି କେରଳର କନ୍ନୁର ବାସିନ୍ଦା । କରୋନା ମହାକାଳ ଓ ଲକଡାଉନ୍ ଭଳି ପରିସ୍ଥିତିରେ ମଧ୍ୟ ତାଙ୍କ ପରିବାର ଲୋକେ ଜନସେବା ପାଇଁ ତାଙ୍କୁ ସହଯୋଗ କରିଆସୁଛନ୍ତି । ଏଭଳି ନିଆରା ବ୍ୟକ୍ତିଙ୍କୁ ସାଧାରଣରେ ଦେବଦୂତ ବୋଲି ଅନେକ କହିବା ସହ ଖୁବ୍ ପ୍ରଶଂସା କରୁଛନ୍ତି ।

 

Get real time updates directly on you device, subscribe now.