fbpx

୧୭ ମାସ ପରେ ଘରକୁ ଫେରିଲେ ମନୀଷ: ଜେଲ୍ ବାହାରେ ଭବ୍ୟ ସ୍ୱାଗତ କଲା AAP

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଜାମିନ୍ ମିଳିବା ପରେ ତିହାର ଜେଲରୁ ମୁକୁଳିଛନ୍ତି ଆପ୍ ନେତା ମନୀଷ ସିସୋଦିଆ । ମନୀଷଙ୍କୁ ସ୍ୱାଗତ କରିବା ପାଇଁ ଜେଲ୍ ବାହାରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଜେଲରୁ ମୁକୁଳିବା ସମୟରେ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ନଜର ଆସିଛନ୍ତି । ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଜେଲରୁ ମୁକ୍ତି ପାଇବାର ମୁଖ୍ୟ ନାୟକଙ୍କ ଧନ୍ୟବାଦ୍ ଦେଇଛନ୍ତି ମନୀଷ ସିସୋଦିଆ । ଭାରତର ସମ୍ବିଧାନ ପାଇଁ ସେ ଆଜି ଜେଲରୁ ମୁକୁିଥିବା ପ୍ରକାଶ କରିଛନ୍ତି ।

ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ୧୭ ମାସ ପରେ ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ୍ ମିଳିସାରିଛି । ମଦ ଦୁର୍ନୀତି ମାମଲାରେ ଗତବର୍ଷ ତାଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଏହି ମାମଲାରେ ଟ୍ରାଏଲ ଆରମ୍ଭ ହେବାରେ ବିଳମ୍ବ ହେବାରୁ ସୁପ୍ରିମକୋର୍ଟ ମନୀଷଙ୍କୁ ସିବିଆଇ ଏବଂ ଇଡି ଉଭୟ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି । ଜାମିନ୍ ମିଳିବା ପରେ ତିହାର ଜେଲରୁ ବାହାରକୁ ଆସିଛନ୍ତି ମନୀଷ ସିସୋଦିଆ । ତେବେ ଜେଲରୁ ବାହାରିବା ମାତ୍ରେ ସେ ନିଜ ପାର୍ଟିର କର୍ମକର୍ତ୍ତା ମାନଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ‘ଭାରତ ମାତା କି- ଜୟ’ ସ୍ଲୋଗାନରେ କମ୍ପି ଉଠିଥିଲା ଜେଲ ପରିସର ।

ସମ୍ବୋଧନ କରିବା ସମୟରେ ସେ କହିଛନ୍ତି ଯେ, ସମ୍ବିଧାନ ବଳରେ ମୁଁ ଆଜି ଜେଲରୁ ବାହାରକୁ ଆସି ପାରିଛି ଏବଂ ସମ୍ବିଧାନ ହିଁ ନିର୍ଦୋଷ ଲୋକମାନଙ୍କୁ ରକ୍ଷା କରିବ । ଏହାସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଖୁବଶୀଘ୍ର ମୁକୁଳିବେ ବୋଲି ସେ ଆଶ୍ୱସନା ଦେଇଛନ୍ତି । ଜେଲରୁ ମୁକୁଳିବା ପାଇଁ ସେ ବାବା ସାହେବ ଆମ୍ବେଦକରଙ୍କ ପାଖରେ ଋଣି ବୋଲି କହିଛନ୍ତି । କୌଣସି ନିର୍ଦ୍ଦୋଷକୁ ଜେଲ୍ ପଠାଗଲେ, ତାଙ୍କୁ ସମ୍ବିଧାନ ହିଁ ରକ୍ଷା କରିବ ବୋଲି ବାବା ସାହେବ ୧୯୫୦ ମସିହାରେ ନିଶ୍ଚିତ କରି ନେଇଥିଲେ ।

Get real time updates directly on you device, subscribe now.