ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତା
୭ ମାସ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫ଥର ଆସିଲେଣି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରମାଗତ ଓଡ଼ିଶା ଗସ୍ତ ଯୋଗୁଁ ରାଜ୍ୟ ବିଜେପି ସଙ୍ଗଠନ ସକ୍ରିୟ ହେଉଛି। ଜୁନରୁ ଜାନୁଆରୀ ୭ ମାସ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫ଥର ଆସିବା ଏକ ରେକର୍ଡ ବୋଲି କୁହାଯାଉଛି। ୨୦୨୪, ଜୁନ ୧୨ରେ ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ମନ୍ତ୍ରିମଣ୍ଡଳ ଶପଥ ନେବା ଦିନ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ବହୁ କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ।
ଏହାପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଜନ୍ମଦିନରେ ଆଉ ଥରେ ଓଡ଼ିଶା ଗସ୍ତରେ ଆସିଥିଲେ। ଭୁବନେଶ୍ବରରେ ଅନୁଷ୍ଠିତ ସର୍ବଭାରତୀୟ ପୋଲିସ ମହାନିର୍ଦେଶକ ସମ୍ମିଳନୀରେ ଯୋଗଦେବାକୁ ଆସିଥିଲେ। ଚଳିତମାସ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ମଧ୍ୟ ଓଡ଼ିଶା ଆସିଥିଲେ।
ମଙ୍ଗଳବାର ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ଏଥ୍ରେ ଦେଶ ବିଦେଶର ଅନେକ ପୁଞ୍ଜି ନିବେଶକାରୀ ଅଂଶଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତା ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ଦାୟିତ୍ବରେ ଥିବା ବିଜେପିର କେନ୍ଦ୍ରୀୟ ପ୍ରଭାରୀ ଅଧିକାଂଶ ସମୟ ଏଠାରେ ରହି ଦଳୀୟ ସଙ୍ଗଠନକୁ ମଜଭୁତ କରୁଛନ୍ତି।
ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ସହିତ ଜିଲା ଓ ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଛି । କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କାର୍ଯ୍ୟକ୍ରମ ଏହାକୁ ତ୍ବରାନ୍ବିତ କରୁଛି। ବିଶେଷକରି ରାଜ୍ୟରେ ନୂଆ ବିଜେପି ସରକାର ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଭାବନା ସୃଷ୍ଟି ହେଉଛି ତାହାକୁ ସକାରାତ୍ମକ ରୂପ ଦେବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ପ୍ରାଧାନ୍ୟ ଦେଉଥିବା ଲକ୍ଷ୍ୟ କରାଯାଉଛି।