fbpx

ପ୍ରଜାମେଳିରେ ଇମ୍ରାନ୍ ; ଆଜି ହୋଇପାରନ୍ତି ଗିରଫ, ପୋଲିସ ଉପରକୁ ପଥର ମାଡ କଲେ ସମର୍ଥକ

ଲାହୋର : ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏବେ ରାଜନୈତିକ ସଙ୍କଟ ମଧ୍ୟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୋଲିସ ଲାହୋର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି। ମଙ୍ଗଳବାର ଲାହୋରର ଜମାନ ପାର୍କରେ ଅନେକ ପୋଲିସ ଗାଡି ପହଞ୍ଚିଛି। କୁହାଯାଉଛି ଯେ ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ଏହି ସମୟରେ ଇମ୍ରାନ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ଇମ୍ରାନ ଖାନଙ୍କ ଗିରଫକୁ ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର କାର‌୍ୟ୍ୟକର୍ତ୍ତାମାନେ ଏହାକୁ ବିରୋଧ କରୁଛନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଗଲେ ଦେଶରେ ଦଙ୍ଗା ହେବ ବୋଲି ସେମାନେ ଧମକ ଦେଉଛନ୍ତି ।

ପୋଲିସ ପହଞ୍ଚିବା ପରେ ତେହେରିକ-ଇ-ଇନସାଫ ପାକିସ୍ତାନ କର୍ମଚାରୀମାନେ ଉତ୍ତେଜିତ ହୋଇ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏହା ଉପରେ ପୋଲିସ କର୍ମଚାରୀମାନଙ୍କୁ ଲାଠି ଧଣି ଗୋଡ଼ାଇଥିଲା। ଏହାର ପାଲଟା ଜବାବରେ ପୋଲିସ କର୍ମଚାରୀମାନେ ଲୁହବୁହା ଗ୍ୟାସ ଏବଂ ଫାଙ୍କା ଗୁଳି ଚାଳନା କରିଥିଲେ । ଯାହା ଦ୍ୱାରା ସମର୍ଥକମାନଙ୍କ ଆକ୍ରମଣ କିଛିମାତ୍ରାରେ କମିଥିଲା । ପୋଲିସ ଆଜି ଇମ୍ରାନ ଖାନଙ୍କୁ ଗିରଫ କରିବାର ସମ୍ଭାବାନା ରହିଛି ।

ଇମ୍ରାନ ଖାନ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ଶାହ ମେହମୁଦ କୁରେଶି କହିଛନ୍ତି ଯେ ଆମେ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ଉପସ୍ଥିତ ରହିଛୁ । ପୋଲିସ ୱାରେଣ୍ଟ ନେଇ ଏଠାକୁ ଆସିଛି ଏବଂ ଆମେ ସେମାନଙ୍କ ସହ କଥା ହେବୁ, କିନ୍ତୁ ହିଂସାକୁ ବରଦାସ୍ତ କରାଯିବ ନାହିଁ। କୁରେଶି କହିଛନ୍ତି ଯେ ଇମ୍ରାନ ଖାନ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାକୁ ନିବେଦନ କରିଛନ୍ତି।

ସେପଟେ ଇମ୍ରାନ ଖାନଙ୍କ ପକ୍ଷରୁ ଇସଲାମାବାଦ ହାଇକୋର୍ଟରେ ଗିରଫ ହେବାର ୱାରେଣ୍ଟ ବିରୋଧରେ ଏକ ଆବେଦନ କରାଯାଇଛି। ଆଜି ଏହା ଉପରେ ଶୁଣାଣି ହେବାକୁ ଯାଉଛି। ଇମ୍ରାନ ଖାନଙ୍କ ବିରୋଧରେ ମୋଟ ୮୦ ଟି ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୩୦ ଟି ଗୁରୁତର ଅପରାଧୀକ ମାମଲା ରହିଛି ।

ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ଟ୍ୱିଟର ଆକାଉଣ୍ଟରେ ଜମାନ ପାର୍କରେ ପହଞ୍ଚି ଶାନ୍ତିପୂର୍ଣ୍ଣ ବିରୋଧ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ବାସ୍ତବରେ ପୋଲିସ ଇମ୍ରାନ ଖାନଙ୍କୁ ଗିରଫ କରିପାରେ ବୋଲି ପିଟିଆଇ ନେତାମାନେ ଆଶଙ୍କା କରୁଛନ୍ତି। ଏହି ଆଶଙ୍କା ଯୋଗୁଁ ସେମାନେ ଗତ କିଛି ଦିନ ଧରି ନିରନ୍ତର ପ୍ରଦର୍ଶନ କରୁଛନ୍ତି । ଇମ୍ରାନ ସମର୍ଥକମାନେ କହିଛନ୍ତି ଯେ ଯଦି ସେମାନଙ୍କ ନେତାଙ୍କୁ ଗିରଫ କରାଯାଏ ତେବେ ଦେଶରେ ଦଙ୍ଗା ହୋଇପାରେ। କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ପୋଲିସ ଆସିଥିଲା, କିନ୍ତୁ ତାଙ୍କୁ ପାଇନଥିଲା । ଘଟଣାସ୍ଥଳରୁ ସେ ଫେରାର ହୋଇଯାଇଥିଲେ । ପଡୋଶୀ ଘରକୁ ଡେଇଁ ଚମ୍ପଟ ମାରିଥିବା କେହି କେହି କହୁଥିବା ବେଳେ ବୁର୍ଖାରେ ଫେରାର ହୋଇଥିବା ନେଇ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.