fbpx
BSKY
BJD MC SKY
BJD YOUTH SKY

ବର୍ଷକ ପରେ ବୁଡ଼ି ଯାଇପାରେ OpenAI: ଜାଣନ୍ତୁ ChatGPT ଉପରେ ପ୍ରତିଦିନର ଖର୍ଚ୍ଚ

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଦୁନିଆରେ ନିଜର କାୟା ବିସ୍ତାର କରୁଥିବା OpenAI ପାଇଁ ଆସୁଛି ବଡ଼ ବିପଦ । ଆସନ୍ତାବର୍ଷ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଷ୍ଟୁଡିଓ ଦେବାଳିଆ ହୋଇଯିବାର ସମ୍ଭାବନା ଦେଖା ଦେଇଛି । ୨୦୨୪ ମସିହା ଶେଷ ସୁଦ୍ଧା ଏହି ଷ୍ଟୁଡିଓ ବୁଡ଼ିଯିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ପ୍ରତିଦିନ ChatGPTରେ ହେଉଥିବା ଖର୍ଚ୍ଚ ପାଇଁ OpenAI ତିଷ୍ଠି ରହିବା ଅସମ୍ଭବ ହୋଇପାରେ ବୋଲି ଆଲୋଚନା ହେଉଛି ।

ଏପ ରିପୋର୍ଟ ଅନୁଯାୟୀ, ସାମ୍ ଅଲ୍ଟମ୍ୟାନଙ୍କ ନେତୃତ୍ୱାଧୀନ OpenAI କେବଳ ChatGPT ସେବା ପରିଚାଳନା ପାଇଁ ପ୍ରତିଦିନ ୭ ଲକ୍ଷ ଡଲାର ଅର୍ଥାତ ୫.୮୦ କୋଟି ଟଙ୍କା ଖର୍ଚ୍ଚ କରୁଛି । ଯାହା ଫଳରେ OpenAI ବର୍ତ୍ତମାନ ସମୟରେ ବିଭିନ୍ନ ସଂକଟର ସମ୍ମୁଖୀନ ହେବାରେ ଲାଗିଛି । ସେପଟେ GPT-୩.୫ ଏବଂ GPT-୪ ମନିଟାଇଜ ହେବା ପରେ ମଧ୍ୟ ଯଥେଷ୍ଟ ରାଜସ୍ୱ ହାସଲ କରିବାରେ ଏହା ସକ୍ଷମ ହୋଇପାରି ନାହିଁ । ଗତବର୍ଷ ନଭେମ୍ବର ମାସରେ ChatGPT ଲଞ୍ଚ ହୋଇଥିଲା । ଏହାପରେ ଇତିହାସରେ ସବୁଠାରୁ ଦ୍ରୁତ ବେଗରେ ଉପରକୁ ଉଠିଥିବା ଆପ୍ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଥିଲା ChatGPT । ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଜର୍ସଙ୍କ ବ୍ୟବହାରରେ ଏହା ରେକର୍ଡ କରିଥିବା ବେଳେ ପର ମୁହୂର୍ତ୍ତରେ ଏଥିରୁ ମୁହଁ ଫେରାଇ ନେଇଛନ୍ତି ୟୁଜର୍ସ । ଚଳିତବର୍ଷ ଜୁଲାଇରେ ଜୁନ୍ ମାସ ଅପେକ୍ଷା ପ୍ରାୟ ୧୨% କମ୍ ୟୁଜର ଏହାକୁ ବ୍ୟବହାର କରିଛନ୍ତି ।

ଏହାବ୍ୟତୀତ କମ୍ପାନୀ ଏପିଆଇ ଭଳି ସମସ୍ୟାର ସାମନା କରୁଥିବା ମଧ୍ୟ ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ OpenAI କୌଣସି ଲାଭ ହାସଲ କରି ପାରିନାହିଁ । ମେ’ ମାସରେ ChatGPT ବିକଶିତ ହୋଇଥିଲେ ମଧ୍ୟ ଏହାର କ୍ଷତି ଦୁଇଗୁଣ ବୃଦ୍ଧି ହୋଇଥିଲା । ଏହି ସମୟରେ ୫୪୦ ମିଲିୟନ ଡଲାରରୁ ଅଧିକ ରହିଥିଲା ChatGPTର କ୍ଷତି । ତେବେ ୨୦୨୩ ମସିହାରେ OpenAI ୨୦୦ ମିଲିୟନ ଡଲାରର ବାର୍ଷିକ ରାଜସ୍ୱ ହାସଲ କରିବା ନେଇ ଲକ୍ଷ୍ୟ ରଖିଛି । ଏହାସହିତ ୨୦୨୪ ସୁଦ୍ଧା ଏହାକୁ ୧ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟରେ ରହିଛି OpenAI ।

Get real time updates directly on you device, subscribe now.