ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିବା ବେଳେ ଏବେ ତା’ର ଫଳାଫଳ ସାମ୍ନାକୁ ଆସିଛି । ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ବିଜୟୀ ହୋଇଥିବା ବେଳେ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ଆପ୍ ପ୍ରାର୍ଥୀ ମହେଶ କୁମାର ଖିଚି ଦିଲ୍ଲୀର ନୂଆ ମେୟର ଭାବେ ନିର୍ବାଚନ ହୋଇଛନ୍ତି । ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ଆପ୍ ପ୍ରାର୍ଥୀ ମହେଶ ପରାସ୍ତ କରିଛନ୍ତି । ଦୀର୍ଘ ଦିନ ଧରି ସ୍ଥଗିତ ରହିବା ପରେ ଆଜି ଦିଲ୍ଲୀରେ ମେୟର ନିର୍ବାଚନ ହୋଇଥିଲା ।
ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ୩ଟି ଭୋଟରେ ବିଜେପି ପ୍ରାର୍ଥୀ କିଶନ ଲାଲଙ୍କୁ ପରାସ୍ତ କରିଛନ୍ତି । ଶୈଲା ଓବରାଙ୍କ ପରେ ଏବେ କରୋଲବାଗର ଦେବନଗରର କାଉନସିଲର ମହେଶ ଏମସିଡିର ମେୟର ପଦ ସମ୍ଭାଳିବେ । ବର୍ତ୍ତମାନ ସୁଦ୍ଧା ମେୟର ଶୈଲା ଓବରୟ ଏକ୍ସଟେନସରେ ରହିଥିଲେ । ମୋଟ ୨୬୩ଟି ଭୋଟ ମଧ୍ୟରୁ ଆଜିର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶଙ୍କୁ ୧୩୩ଟି ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ କିଶନଙ୍କୁ ୧୩୦ଟି ଭୋଟ ମିଳିଥିଲା । ମେୟର ପଦ ପାଇଁ ମୋଟ ୨୬୫ଟି ଭୋଟ ପଡ଼ିଥିବା ବେଳେ ସେଥିମଧ୍ୟରୁ ୨ଟି ଭୋଟକୁ ଅମାନ୍ୟ କରି ଦିଆଯାଇଥିଲା ।