fbpx

ବୀର ସହୀଦ ଯବାନ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଏବଂ ସାହସୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆସନ୍ତାକାଲିଠାରୁ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅଭିଯାନ ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ବୀର ଯବାନମାନଙ୍କର ସ୍ମୃତିଚାରଣ ପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଦେଶର ସବୁ ଗ୍ରାମପଞ୍ଚାୟତ, ବ୍ଲକ୍‍, ପୌରପାଳିକା ଅଂଚଳରେ ସ୍ୱାଧୀନତା ସଂଗ୍ରାମୀ ଏବଂ ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅମୃତର ସରୋବର ନିକଟରେ ଶିଳାଫଳକ ସ୍ଥାପନ କରାଯିବ । ଦେଶ ପାଇଁ ବଳିଦାନ ଦେଇଥିବା ସେହି ଅଂଚଳର ବୀରଙ୍କ ନାମ ସହିତ ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାକୁ ଶିଳାଫଳକରେ ସ୍ଥାନ ଦିଆଯିବ।

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଭାବେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ମାଟିକୁ ପ୍ରଣାମ ଏବଂ ବୀରଙ୍କୁ ବନ୍ଦନା କାର୍ଯ୍ୟକ୍ରମ ଏହି ଅଭିଯାନର ପ୍ରମୁଖ ଉପାଦାନ ଭାବେ କାର୍ଯ୍ୟକାରୀ କରାଯିବ। ଏହି ଅବସରରେ ଦେଶର ସବୁ କୋଣ-ଅନୁକୋଣରେ ଅମୃତ କଳସ ଯାତ୍ରା ଆୟୋଜନ କରାଯିବ । ୭ ହଜାର ୫୦୦ କଳସ ବିଭିନ୍ନ ସ୍ଥାନରୁ ଅଣାଯାଇ ଦିଲ୍ଲୀର ଅମୃତବାଟିକାଠାରେ ସ୍ଥାପନ କରାଯିବ । ଯାହାକି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପର ପ୍ରତୀକ ହେବ । ମେରୀ ମାଟି ମେରା ଦେଶ ଅଭିଯାନର ଉଦ୍‍ଯାପନୀ କାର୍ଯ୍ୟକ୍ରମ ଚଳିତମାସ ୩୦ ତାରିଖ ନୂଆଦିଲ୍ଳୀର କର୍ତ୍ତବ୍ୟ ପଥରେ ବିଶେଷ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଆୟୋଜନ କରାଯିବ ।

ଏହି ଅଭିଯାନକୁ ଜନଭାଗିଦାରୀରେ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ୱେବ୍‍ସାଇଟ୍‍ merimaatimeradesh.gov.in ଶୁଭାରମ୍ଭ କରାଯାଇଛି । ସାଧାରଣ ଲୋକ ମାଟିଦ୍ୱୀପ ଧରି ପଞ୍ଚପ୍ରାଣର ସଂକଳ୍ପ ଗ୍ରହଣ କରିବା ସହିତ ଏହି ୱେବ୍‍ସାଇଟ୍‍ରେ ସେଲଫି ଅପ୍‍ଲୋଡ୍‍ କରିପାରିବେ । ଗତବର୍ଷ ଭଳି ଚଳିତବର୍ଷ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଚଳିତମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶବାସୀ ଯେକୌଣସି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତ୍ରିରଙ୍ଗା ପତାକା ସହିତ ସେଲ୍‍ଫି ନେଇ harghartiranga.com ୱେବ୍‍ସାଇଟ୍‍ରେ ଅପଲୋଡ୍‍ କରିପାରିବେ ।

Get real time updates directly on you device, subscribe now.