fbpx

ଅଫିସ୍ ଖାଲି କରୁଛନ୍ତି ମେଟା, ମାଇକ୍ରୋସଫ୍ଟ: ହଜାର ହଜାର କର୍ମଚାରୀଙ୍କ ଉପରେ ଝୁଲିଲା ଖଣ୍ଡା

ନୂଆଦିଲ୍ଲୀ: ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଥିବା ବେଳେ ଏହାର ଜୋରଦାର ପ୍ରଭାବ ଆଇଟି କ୍ଷେତ୍ର ଉପରେ ପଡିଛି। ଅନେକ ବଡ଼ କମ୍ପାନୀ ହଜାର ହଜାର ସଂଖ୍ୟାରେ ଛଟେଇ କରୁଛନ୍ତି। ଏହାରି ମଧ୍ୟରେ ଖବର ଆସୁଛି ଯେ, ପୁଣି ମାଇକ୍ରୋସଫ୍ଟ ଏବଂ ଫେସ୍‌ବୁକ୍ ଭଳି କମ୍ପାନୀ ବଡ଼ ଧରଣର ଛଟେଇ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୱାର୍କ ଫ୍ରମ ହୋମ୍ ଅଭ୍ୟାସ ବଢିବା ସାଙ୍ଗକୁ ଅନେକ କର୍ମଚାରୀ ଛଟେଇ ପରେ ଏହି କମ୍ପାନୀମାନେ କର୍ଯ୍ୟାଳୟ କମ୍ କରିବାକୁ ନିଷ୍ପତି ନେଇଛନ୍ତି। ଦୁଇ କମ୍ପାନୀ ସିଆଟେଲ ଏବଂ ବେଲେଭ୍ୟୁରେ ଅଫିସ ଖାଲି କରିବାକୁ ଯାଉଛନ୍ତି।

ସିଆଟେଲ ଟାଇମ୍ସ ରିପୋର୍ଟ କରିଛି ଯେ, ଫେସବୁକ ଶୁକ୍ରବାର ଦିନ ସିଆଟେଲ ସହରର ଛଅ ମହଲା ବିଶିଷ୍ଟ ଆର୍ବର୍ ବ୍ଲକ୍ ୩୩୩ ଏବଂ ବେଲାଭ୍ୟୁର ୧୧ ମହଲା ବ୍ଲକ୍ ୬ ରେ ଏହାର କାର୍ଯ୍ୟାଳୟକୁ ଲିଜ୍‌ରେ ଦେବାକୁ ଯୋଜନା କରିଛି । ତେବେ ବଡ଼ ବଡ଼ ଟେକ୍ କମ୍ପାନୀ ମାନେ ଏଭଳି ଗତିବିଧି ‘ସଫ୍ଟ ମାର୍କେଟ୍‌’ର ସଙ୍କେତ ଦେଉଛି। ସଫ୍ଟ ମାର୍କେଟ୍ ଏକ ଏପରି ସମୟ, ଯେଉଁ ସମୟରେ ବଜାର ଏପରି ହୋଇଥାଏ ଦ୍ରବ୍ୟର ଦାମ୍ କମ୍ ଥାଏ ଏବଂ କିଣିବା ଲୋକଙ୍କଠୁ ବିକ୍ରି କରିବା ଲୋକଙ୍କ ସଂଖ୍ୟା ବଢୀଯାଏ ।

ଏକ ରିପୋର୍ଟ ଅନୁସାରେ ମାଇକ୍ରୋସଫ୍ଟ ରିପୋର୍ଟକୁ ନିଶ୍ଚିତ କରିଛି ଯେ ବେଲାଭ୍ୟୁର ୨୬ ମହଲା ବିଶିଷ୍ଟ ସିଟି ସେଣ୍ଟର ପ୍ଲାଜାରେ ଏହାର ଲିଜ୍ ନବୀକରଣ ହେବ ନାହିଁ ଯେତେବେଳେ ସେହି ଲିଜ୍ ଜୁନ୍ ୨୦୨୪ ରେ ଶେଷ ହେବ । ଏହାର କାରଣ ଛଟେଇ ସାଙ୍ଗକୁ ୱାର୍କ ଫ୍ରମ୍ ହୋମ୍ ଅଟେ । ଯେଉଁଥି ପାଇଁ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟର ଆବଶ୍ୟକତା ହ୍ରାସ ପାଉଛି । ଗତବର୍ଷ ନଭେମ୍ବରରେ ମେଟା ପକ୍ଷରୁ ସିଆଟେଲରୁ ୭୨୬ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଥିଲା ।

ମେଟା ମୁଖପାତ୍ର ଟ୍ରେସି କ୍ଲିଟନ୍ ଲିଜ୍‌ରେ କାର୍ଯ୍ୟାଳୟ ଦେବା ନିଷ୍ପତ୍ତିକୁ ଦୂର କାର୍ଯ୍ୟ ସହିତ ଯୋଡିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଅର୍ଥନୈତିକ ଅବସ୍ଥାକୁ ଦେଖି ମେଟା ଆର୍ଥିକ ଦୃଷ୍ଟିରୁ ଚତୁର ନିଷ୍ପତ୍ତି ନେବାକୁ ଚେଷ୍ଟା କରୁଛି । ତଥାପି, ମେଟା ସିଆଟେଲ ଅଞ୍ଚଳରେ ୨୯ ଟି କୋଠା ଏବଂ ପ୍ରାୟ ୮,୦୦୦ କର୍ମଚାରୀ ଅଛନ୍ତି ।

ସେହିପରି ମାଇକ୍ରୋସଫ୍ଟର ମୁଖପାତ୍ର ସିଟି ସେଣ୍ଟର ପ୍ଲାଜା ବିଷୟରେ ଏହାର ନିଷ୍ପତ୍ତିକୁ ଫାର୍ମର ‘ରିଏଲ୍ ଇଷ୍ଟେଟ୍ ପୋର୍ଟଫୋଲିଓ’ ର ନିରନ୍ତର ମୂଲ୍ୟାଙ୍କନର ଏକ ଅଂଶ ଭାବରେ ବର୍ଣ୍ଣନା କରିଛନ୍ତ। ସେହିଭଳି ଆମର କର୍ମଚାରୀଙ୍କ ପାଇଁ ଅଧିକ ସହଯୋଗ ଏବଂ ଭଲ ସାମାଜିକ ବାତାବରଣ ସୃଷ୍ଟି କରିବା ପାଇଁ ଆମେ ଏକ ଅସାଧାରଣ ସ୍ଥାନ ପ୍ରଦାନ କରୁଛୁ ବୋଲି କହିଛନ୍ତି ।

ତେବେ ବର୍ତ୍ତମାନ ପାଇଁ ଉଭୟ ବଡ କମ୍ପାନୀ ଦ୍ୱାରା ହୋଇଥିବା ନୂତନ ଘୋଷଣା ସିଆଟେଲ ବଜାରରେ ଚିନ୍ତା ବଢାଇ ଦେଇଛି । ବହୁ ବଡ କାର୍ଯ୍ୟାଳୟ ଥିବା ଏହି ଅଞ୍ଚଳରେ ବହୁ ସଂଖ୍ୟକ ସ୍ଥାନ ଖାଲି ପଡିଛି । ପରିସଂଖ୍ୟାନ ଦର୍ଶାଏ ଯେ ଗତ ବର୍ଷର ଗ୍ରୀଷ୍ମରୁ ମହାମାରୀ ପୂର୍ବ ତୁଳନାରେ ଏହି ଅଞ୍ଚଳରେ କେବଳ ୪୦ ପ୍ରତିଶତ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.