fbpx

ମାର୍କ ଜୁକରବର୍ଗଙ୍କ ବଡ଼ ଘୋଷଣା: ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ Meta

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ସ୍ୱାମୀତ୍ୱ କମ୍ପାନୀ ମେଟା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ଗତ ଚାରି ମାସ ପୂର୍ବରୁ କମ୍ପାନୀ ୧୧ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ମେଟା ପ୍ରଥମ ଟେକ୍ନୋଲୋଜି କମ୍ପାନୀ ଭାବେ ଦ୍ୱିତୀୟ ଥର ପାଇଁ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ଯାଉଛି ।

ଏନେଇ କମ୍ପାନୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ କହିଛନ୍ତି, ‘ଆମେ ଆମର ଟିମରୁ ୧୦ ହଜାର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଛୁ । ଏଥିସହିତ ଆମେ ୫ ହଜାର ଅତିରିକ୍ତ ଓପନ ରୋଲ୍ ପାଇଁ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିଯୁକ୍ତି କରିପାରିନାହୁଁ ।’ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କମ୍ପାନୀର ସିଇଓ ଏହି ବାର୍ତ୍ତା ଦେଇଥିବା ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ଡିଜିଟାଲ କଲେକ୍ଟିବଲ୍ସକୁ ନେଇ ମେଟା ନିଜର କାର୍ଯ୍ୟ ବନ୍ଦ କରିବାକୁ ଯାଉଛି । ମେଟା ଇନଷ୍ଟାଗ୍ରାମରେ ନନ-ପୁଞ୍ଜିବଲ ଟୋକେନ (ଏନଏଫଟି) ପ୍ରସ୍ତୁତ କରିବା ଓ ବିକ୍ରି କରିବାକୁ ନେଇ ନିଜର ପରୀକ୍ଷଣକୁ ସ୍ଥଗିତ କରିଦେଇଛି । ଫଳରେ ଆଗାମୀ ଦିନରେ ବ୍ୟବହାରକାରୀଙ୍କ ପାଇଁ ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ଏନଏଫଟି ଶେୟାର କରିବାର କ୍ଷମତାକୁ ମଧ୍ୟ ସମାପ୍ତ କରିଦିଆଯିବ ।

ଗତ ୨୦୨୨ ମସିହା ଅଗଷ୍ଟ ମାସରେ ମେଟା ଇନଷ୍ଟାଗ୍ରାମ ଓ ଫେସବୁକରେ ଏନଏଫଟି ସମର୍ଥନ କରିବା ପାଇଁ ଘୋଷଣା କରିଥିଲା । ନିକଟରେ ମେଟା ଆମେରିକା ସ୍ଥିତ ଫେସବୁକ ଓ ଇନଷ୍ଟାଗ୍ରାମ କ୍ରିଏଟର୍ସଙ୍କ ପାଇଁ ନିଜର ରିଲ୍ସ ତିଆରି କରିବା ଓ ପ୍ଲେ ବୋନସକୁ ବନ୍ଦ କରିଦେଇଥିଲା । ସୂଚନାଯୋଗ୍ୟ ଯେ, ନିକଟରେ ବିଶ୍ୱର ବହୁ ବଡ଼ ବଡ଼ କମ୍ପାନୀମାନେ ନିଜର କର୍ମଚାରୀ ସଂଖ୍ୟା ହ୍ରାସ କରୁଥିବା ଦେଖାଯାଉଛି । ଏହି କ୍ରମରେ ମାଇକ୍ରୋସଫ୍ଟ, ଆମାଜନ, ଗୁଗଲ ପରି ବହୁ ବଡ଼ ବଡ଼ କମ୍ପାନୀ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.