fbpx

WPlରେ RCBକୁ ଲାଗିଲା ସାଇବର ଝଟକା: ମାଥ୍ୟୁଜ ବି ଦାଉ ସାଧିଲେ, ପୁଣି ଖାଲିହାତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ମଧ୍ୟ ପରାଜୟର ସାମନା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ମ୍ୟାଚକୁ ମଧ୍ୟ ଆରସିବି ହାତଛଡା କରିଦେଇଛି । ତେବେ ଏହି ମ୍ୟାଚ ପରାଜୟ ସହ ଆରସିବିକୁ ଏକ ସାଇବର ଝଟକା ଲାଗିଛି । ମୁମ୍ବାଇର ହେଲୀ ମାଥ୍ୟୁଜଙ୍କ ସହ ମିଶି ଏକ ଧମାକାଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ସାଇବର ବ୍ରଣ୍ଟ । ଉଭୟଙ୍କ ଏହି ପାଳି ବଳରେ ମୁମ୍ବାଇ ବାଙ୍ଗାଲୋରକୁ ୯ ୱିକେଟରେ ମାତ୍ ଦେଇଛି । ଏହାସହିତ ଲିଗର ଦ୍ୱିତୀୟ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମନାରେ ୧୫୬ ରନର ଲକ୍ଷ୍ୟ ରଖିଥିଲା ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ତେବେ ପ୍ରଥମ ମ୍ୟାଚରେ ୨୦୭ ରନର ପାହା ଡ କରିବା ସହ ଏକ ବିଶାଳ ବିଜୟ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ଖୁବ କମ୍ ଥିଲା । ଶେଷରେ ପରିଣାମ ମଧ୍ୟ ଆଶାନୁରୂପ ହୋଇଛି । ଏହି ମ୍ୟାଚକୁ ୫.୪ ଓଭର ବାକି ଥାଇ ୯ ୱିକେଟରେ ସହଜ ବିଜୟ ହାସଲ କରିଛି ମୁମ୍ବାଇ । ତେବେ ଏହି ମ୍ୟାଚରେ ହେଲୀ ମାଥ୍ୟୁଜଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଏକ ମ୍ୟାଚ ୱିନିଙ୍ଗ ପାଳି । ୩୮ ବଲରୁ ୧୩ଟି ଚୌକା ଏବଂ ଗୋଟିଏ ଛକା ସହ ୭୭ ରନର ଏକ ବିସ୍ଫୋଟକ ଇନିଂସ ଖେଳିଛନ୍ତି ମାଥ୍ୟୁଜ । କିନ୍ତୁ ତାଙ୍କ ସହ ମିଶି ବାଙ୍ଗାଲୋରକୁ ଝଟକା ଦେଇଛନ୍ତି ସାଇବର ବ୍ରଣ୍ଟ । ୨୯ଟି ବଲରୁ ୯ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୫ ରନର ଦମଦାର ପାଳି ଖେଳି ବାଙ୍ଗାଲୋରକୁ ଦ୍ୱିତୀୟ ପରାଜୟ ଦେଇଛନ୍ତି । ଏହାବ୍ୟତୀତ ଷ୍ଟାର ଓପନର ୟାସ୍ତିକା ଭାଟିଆ ୨୩ ରନ କରି ପ୍ରୀତି ବୋଷଙ୍କ ବଲରେ ପାଭିଲିୟନ ଫେରିଥିଲେ ।

ତେବେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଦମ୍ ଦେଖାଇଛନ୍ତି ହେଲୀ ମାଥ୍ୟୁଜ ଏବଂ ସାଇବର । ନିଜ କୋଟାର ୪ ଓଭରରେ ୨୮ ରନ୍ ଦେଇ ମାଥ୍ୟୁଜ ୩ଟି ୱିକେଟ ହାସଲ କରିଥିବା ବେଳେ ସାଇବର ମଧ୍ୟ ଗୋଟିଏ ସଫଳତା ପାଇଛନ୍ତି । ଏହାବ୍ୟତୀତ ସାଇକା ଏବଂ ଆମେଲିଆ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ଏବଂ ପୂଜା ବସ୍ତ୍ରକାରଙ୍କୁ ମିଳିଛି ଗୋଟିଏ ୱିକେଟ । ଏହାସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ।

Get real time updates directly on you device, subscribe now.