ଅଦିିନିଆ ବର୍ଷାରେ ପୁରୀରେ ସର୍ବାଧିକ କ୍ଷତି, 4ରୁ 5 ଦିନ ଭିତରେ ସମସ୍ତ ଚାଷୀ ପାଇବେ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ

ଅଦିନିଆ ବର୍ଷାରେ ଚାଷୀଙ୍କୁ କ୍ଷତିପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ରାଶି ରହିଛି ।

ଭୁବନେଶ୍ବର: ଅଦିନିଆ ବର୍ଷା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି । ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଚାଷୀଙ୍କୁ କେତେ ପରିମାଣରେ କ୍ଷତିପୂରଣ ମିଳିବ ସେନେଇ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି ।

ଏତିକି ଦିନରେ ଚାଷୀ ପାଇବେ କ୍ଷତିପୂରଣ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ଅନୁସାରେ, ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ୪ରୁ୫ ଦିନରେ ଏହି କାମ ସରିବ । ୧୪ ଜିଲ୍ଲାରେ କ୍ଷତି ହୋଇଥିବା ବେଳେ ୨ ଜିଲ୍ଲାରେ ଆଶିଂକ କ୍ଷତି ମଧ୍ୟ ହୋଇଛି ।

ପୁରୀରେ ସର୍ବାଧିକ କ୍ଷତି- ପୁରୀରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ତା ପଛକୁ ଗଂଜାମ ଜିଲ୍ଲା ରହିଛି । ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି । ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି ।

ଜିଲ୍ଲାପାଳଙ୍କୁ କ୍ଷତିପୂରଣ ଦିଆଯାଇଥିବା ବେଳେ ଚାଷୀଙ୍କୁ ଆବଣ୍ଟନ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି । ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ରାଶି ରହିଥିବା ବେଳେ ଅଣଜଳସେଚିତ ଜମି ପାଇଁ ୭୫୦୦ ଟଙ୍କା ରହିଛି । ଭାଗ ଚାଷୀଙ୍କ ପାଇଁ ଆଇନ ଆସିନି, ଆସିବ କି ନାହିଁ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।