fbpx
BSKY
BJD MC SKY
BJD YOUTH SKY

ରାଜ୍ୟରେ ବୃଦ୍ଧି ପାଉଛି ନିଖୋଜ ଶିଶୁଙ୍କ ସଂଖ୍ୟା; ୮୧ ପ୍ରତିଶତ ବାଳିକା ନିଖୋଜ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଦେଶରେ ପ୍ରତି ୮ ମିନିଟ୍ ରେ ଗୋଟିଏ ଗୋଟିଏ କୋମଳମତି ଶିଶୁ ନିଖୋଜ ହେଉଛନ୍ତି । କେତେକ ସ୍ଥାନରେ ଶିଶୁ ନିଖୋଜ ପରେ ମାମଲା ରୁଜୁ କରୁନାହାନ୍ତି ତ ଆଉ କେତେକ ସ୍ଥାନରେ କେବଳ ରିପୋର୍ଟ ଦାଖଲ କରି ହାତରେ ହାତ ବାନ୍ଧି ବସିଯାଉଛନ୍ତି । ଯାହା ଫଳରେ ଅନେକ ଶିଶୁଙ୍କୁ ଉଦ୍ଧାର କରାଯାଇପାରୁନି । ଦୁଃଖର ବିଷୟ ଯେ, ଏହି ନିଖୋଜ ଶିଶୁ ମାନଙ୍କୁ କିଛି ଖରାପ ପ୍ରବୃତ୍ତିର ଲୋକ ବିଭିନ୍ନ ପ୍ରକାର ସମାଜ ବିରୋଧୀ କାମରେ ଲଗାଇଥାନ୍ତି । ଯେପରିକି ମୁଲ ଖଟିବା, ଭିକ ମାଗିବା, ଯୌନ ଉତ୍ପୀଡନ ଏପରି ଅନେକ କିଛି । ଓଡିଶା କଥା ଯଦି କହିବା ବିଗତ ଚାରି ବର୍ଷରେ ୧୦ ହଜାର ୨୭୨ ଶିଶୁ ନିଖୋଜ ହୋଇଛନ୍ତି । କିଛି ନିଖୋଜ ମାମଲା ରୁଜୁ ହେଉନଥିବାରୁ ୨୫ ପ୍ରତିଶତ ଶିଶୁ ଉଦ୍ଧାର ହୋଇପାରୁନି । ତେବେ ଏଥିମଧ୍ୟରେ ସବୁଠାରୁ ସଙ୍ଗୀନ କଥା ହେଉଛି ନିଖୋଜଙ୍କ ଭିତରେ ୮୧ ପ୍ରତିଶନ ହେଉଛନ୍ତି କେବଳ ବାଳିକା । ଯାହା ରାଜ୍ୟ ସରକାର ଏବଂ ପୁଲିସ୍ ପ୍ରଶାସନର ନିଦ ହଜାଇଦେଇଛି । ଓଡ଼ିଶାରୁ ବିଶେଷ କରି ଭୁବନେଶ୍ୱର, କଟକ, ରାଉଲକେଲା, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ମୟୁରଭଞ୍ଜରୁ ଅଧିକ ଶିଶୁ ନିଖୋଜ ହେଉଥିବା ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

କ୍ରାଇମ ବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁଯାୟୀ, ୧୦୧୭ରୁ ୨୦୨୦ ମଧ୍ୟରେ ରାଜ୍ୟରେ ମୋଟ ୧୦, ୨୭୧ ଜଣ ଶିଶୁ ନିଖୋଜ ହୋଇଛନ୍ତି । ସେଥିମଧ୍ୟରୁ ବାଳିକାଙ୍କ ସଂଖ୍ୟା ୮୪୨୦ । ମୋଟ ୧୦୨୭୨ ଶିଶୁ ନିଖୋଜ ହୋଇଥିବା ବେଳେ ସେଥି ମଧ୍ୟରୁ ୭୭୩୧ ଶିଶୁଙ୍କୁ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ବାକି ଶିଶୁଙ୍କ କିଛି ପତ୍ତା ମିଳିପାରି ନାହିଁ । ୨୦୧୭ରେ ମୋଟ ୧୮୫୧ ଶିଶୁ ଓଡ଼ିଶାରୁ ନିଖୋଜ ହୋଇଥିବା ବେଳେ ସେଥିରୁ ୧୩୬୦ ଜଣ ବାଳିକା ଥିଲେ । ୧୮୫୧ ଜଣ ଶିଶୁଙ୍କ ମଧ୍ୟରୁ ପୁଲିସ ୧୫୪୭ ଜଣଙ୍କୁ ଠାବ କରିଥିବା ବେଳେ ବାକି ଶିଶୁଙ୍କୁ ଠାବ କରିପାରିନାହିଁ । ସେହିପରି ୨୦୧୮ରେ ଏହି ସଂଖ୍ୟା ବଢି ୨୩୩୪ ପହଞ୍ଚିଥିଲା । ମୋଟ ୨୩୩୪ ଶିଶୁଙ୍କ ମଧ୍ୟରୁ ୧୮୭୫ ବାଳିକା ନିଖୋଜ ହୋଇଥିଲେ । ସେଥିମଧ୍ୟରୁ ପୁଲିସ ୧୮୪୭ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ୨୦୧୯ରେ ଏହି ସଂଖ୍ୟା ୩ ହଜାର ପାର କରି ୩୧୫୧ ରେ ପହଞ୍ଚିଥିଲା । ମୋଟ ୩୧୫୧ ଶିଶୁଙ୍କ ମଧ୍ୟରୁ ୨୫୯୧ ବାଳିକା ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୁଲିସ ୨୩୩୫ଙ୍କୁ ଉଦ୍ଧାର କରିଥିଲା । ୨୦୨୦ରେ ୨୯୩୬ ଜଣ ଶିଶୁ ସାରା ଓଡ଼ିଶାରୁ ନିଖୋଜ ହୋଇଥିବା ବେଳେ ସେଥିରୁ ୨୫୯୪ ଥିଲେ ବାଳିକା ।

ନିଖୋଜ ଶିଶୁଙ୍କ ମଧ୍ୟରୁ ବାଳିକାଙ୍କ ସଂଖ୍ୟା ଅଧିକ ରହୁଛି । ଏହାର ମୁଖ୍ୟ କାରଣ ହେଲା ବାଳିକାମାନଙ୍କୁ ଏଠାରୁ ନେଇ ବାହାର ରାଜ୍ୟରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲଗାଯାଉଛି । ସେମାନଙ୍କୁ କୌଣସି ପ୍ରକାରେ ବାହାର ରାଜ୍ୟକୁ ନେବା ପରେ ସେଠାରେ ବାଳିକାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରାଯାଉଛି । ସବୁଠୁ ବଡ କଥା ହେଉଛି ଅଭିଯୋଗ ଆସୁଥିବା କେତେକ ଘଟଣାରେ ପୁଲିସ ମାମଲା ରୁଜୁ କରୁନାହିଁ । ଯେଉଁ ଘଟଣା ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଉଛି ସେ କ୍ଷେତ୍ରରେ ପୁଲିସ ମାମଲା ରୁଜୁ କରୁଛି । ବାକି ଘଟଣାରେ ମାମଲା ରୁଜୁ କରୁ ନ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଏପରି ସ୍ଥଳେ ସାଧାରଣ ଲୋକେ ସରକାର ତଥା ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

 

Get real time updates directly on you device, subscribe now.