ଡେବ୍ୟୁ ମ୍ୟାଚରେ ହଇଚଇ କଲେ ଏହି ଖେଳାଳି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଘରୋଇ ଓ୍ୱେଷ୍ଟଇଣ୍ଡିଜକୁ ୩-୦ରେ କ୍ଲିନସୁଇପ୍ କରିବା ସହ, ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ସିରିଜକୁ ଧାମାକାଦାର୍ ଭାବରେ ଆରମ୍ଭ କରିଛି।

କିଙ୍ଗଷ୍ଟନର ସାବିନା ପାର୍କରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଡେବ୍ୟୁଟାଣ୍ଟ ମିଚେଲ୍ ଓୱେନଙ୍କ ଦମଦାର ଇନିଂସ୍ ପାଇଁ ୱେଷ୍ଟଇଣ୍ଡିଜ୍‌କୁ ୩ ୱିକେଟ୍‌ରେ ପରାସ୍ତ କରିପାରିଛି।

ମିଚେଲ୍ ଓୱେନ୍‌ ତାଙ୍କ କ୍ୟାରିଅରର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିବାରେ ସଫଳତା ପାଇଛନ୍ତି। ଏହିପରି ଭାବରେ ସେ ରିକି ପଣ୍ଟିଂ ଏବଂ ଡେଭିଡ୍ ୱାର୍ଣ୍ଣରଙ୍କ ସ୍ୱତନ୍ତ୍ର କ୍ଲବ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି।

ଡେବ୍ୟୁରେ ଇତିହାସ:  ମିଚେଲ ଓୱେନ୍ ଟି-୨୦ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରିବାରେ ତୃତୀୟ ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ ରିକି ପଣ୍ଟିଂ ଏବଂ ଡେଭିଡ୍ ୱାର୍ଣ୍ଣର ଏହି ମହାନ ସଫଳତା ହାସଲ କରିଥିଲେ।

ଓୱେନ୍ ଅଷ୍ଟ୍ରେଲିଆ ପାଇଁ ଟି-୨୦ ଡେବ୍ୟୁରେ ତୃତୀୟ ସର୍ବାଧିକ ସ୍କୋର କରିବାର ରେକର୍ଡ ମଧ୍ୟ ରଖିଛନ୍ତି। ୨୩ ବର୍ଷୀୟ ମିଚେଲ ଓୱେନ୍ ମାତ୍ର ୨୭ ବଲ୍‌ରେ ୫୦ ରନ୍‌ର ଇନିଂସ ଖେଳି ୬ଟି ଆକାଶଛୁଆଁ ଛକା ମାରିଥିଲେ।

ଓୱେନ୍‌ଙ୍କୁ କ୍ୟାମେରନ୍ ଗ୍ରୀନ୍‌ଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଗ୍ରୀନ୍‌ ମଧ୍ୟ ୨୬ ବଲ୍‌ରେ ୫୧ ରନ୍‌ର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ ୨ଟି ଚୌକା ଏବଂ ୫ଟି ଛକା ମାରିଥିଲେ।

ଡେବ୍ୟୁରେ ଅର୍ଦ୍ଧଶତକ କରିଥିବା ଖେଳାଳି: 

ରିକି ପଣ୍ଟିଂ ୯୮* (୫୫) ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ, ୨୦୦୫
ଡେଭିଡ୍ ୱାର୍ଣ୍ଣର ୮୯ (୪୩) ଦକ୍ଷିଣ ଆଫ୍ରିକା ବିପକ୍ଷରେ, ୨୦୦୯
ମିଚେଲ୍ ଓୱେନ୍ ୫୦ (୨୭) ୱେଷ୍ଟଇଣ୍ଡିଜ୍ ବିପକ୍ଷରେ, ୨୦୨୫

ଗ୍ରୀନ୍ ଏବଂ ଓୱେନଙ୍କ ଦମଦାର ପ୍ରଦର୍ଶନ: ଗ୍ରୀନ୍ ଏବଂ ଓୱେନ୍ ଙ୍କ ଅର୍ଦ୍ଧଶତକ ସହାୟତାରେ ଅଷ୍ଟ୍ରେଲିଆ ୧୯୦ ରନ୍ ଲକ୍ଷ୍ୟର ନିକଟତର ହୋଇଥିଲା। ଉଭୟ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ଇନିଂସ ଟିକେ ଦୁର୍ବଳ ହୋଇଯାଇଥିଲା।

କିନ୍ତୁ ଶେଷରେ ବେନ୍ ଦ୍ୱାରଶୁଇସ୍ ଏବଂ ସିଆନ୍ ଆବୋଟ୍ ଙ୍କ ପାଇଁ ସେମାନେ ଗୋଟିଏ ଓଭର ପୂର୍ବରୁ ୱେଷ୍ଟଇଣ୍ଡିଜ୍ କୁ ୩ ୱିକେଟ୍ ରେ ପରାସ୍ତ କରିବାରେ ସଫଳ ହୋଇଥିଲେ।

ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟିମ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋଷ୍ଟନ୍ ଚେଜ୍ ୬୦ ଏବଂ ଓପନର୍ ଶାଇ ହୋପ୍ ୫୫ର ଅର୍ଦ୍ଧଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଦ୍ୱାରଶୁଇସ୍ ୪ ଓଭରରେ ୩୬ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆର ଲଗାତାର ଚତୁର୍ଥ ବିଜୟ: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଏହା ଅଷ୍ଟ୍ରେଲିଆର ଲଗାତାର ଚତୁର୍ଥ ବିଜୟ। ଏହିପରି ଭାବରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ

ସିରିଜରେ ୧-୦ ରେ ଆଗୁଆ ରହିଛି।

ପୂର୍ବରୁ ୱେଷ୍ଟଇଣ୍ଡିଜ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୩ ରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏବେ ଦ୍ୱିତୀୟ T20I ମ୍ୟାଚ୍ ୨୨ ଜୁଲାଇରେ ସାବିନା ପାର୍କରେ ଖେଳାଯିବ।