ନୂଆଦିଲ୍ଲୀ: ସାଇବର ଅପରାଧ ରୋକିବା ଦିଗରେ ଏକ ବଡ଼ ସଫଳତା ହାସଲ କରିଛନ୍ତି ଭାରତ ସରକାର । ସାଇବର ଅପରାଧକୁ ପ୍ରଶ୍ରୟ ଦେଉଥିବା କିମ୍ବା ସ୍କାମ ଇତ୍ୟାଦିର କାରଣ ପାଲଟିଥିବା ଅନେକ ଆକାଉଣ୍ଟ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଗୃହ ମନ୍ତ୍ରାଳୟ । ଏଥିରେ ପ୍ରାୟ ୫୯ ହଜାର ହ୍ୱାଟ୍ସଆପ୍ ଆକାଉଣ୍ଟ ସାମିଲ ରହିଛି । ସାଧାରଣ ଲୋକଙ୍କୁ ସାଇବର କ୍ରାଇମରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ସରକାର । ଗୃହ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଏକ ସଂସ୍ଥା, ୧୪ସି ସାଇବର ଅପରାଧ ରୋକିବା ଦିଗରେ ଏହି ସଫଳତା ହାସଲ କରିଛି ।
୧୪ସି ହଜାର ହଜାର ସାଇବର ଅପରାଧୀଙ୍କ ଆକାଉଣ୍ଟ ଉପରେ କଇଁଚି ଚଳାଇଛି । ଠକାମୀ ଏବଂ ସାଇବର କ୍ରାଇମ ଇତ୍ୟାଦି ସହ ସମ୍ପୃକ୍ତ ଥିବା ୧୭୦୦ରୁ ଅଧିକ ସ୍କାଇପ୍ ଆକାଉଣ୍ଟ ବ୍ଲକ୍ କରିଛନ୍ତି ଭାରତ ସରକାର । ଏହାବ୍ୟତୀତ ୫୯ ହଜାରରୁ ଅଧିକ ହ୍ୱାଟସଆପ୍ ଆକାଉଣ୍ଟ ମଧ୍ୟ ବ୍ୟାନ୍ କରାଯାଇଛି । ସାଧାରଣ ଲୋକଙ୍କୁ ବିଭିନ୍ନ ଉପାୟରେ ଠକିବା ସହ ଟଙ୍କା ଲୁଟିବା ପାଇଁ ଏହିସବୁ ଆକାଉଣ୍ଟ ବ୍ୟବହାର ହେଉଥିବା କୁହାଯାଇଛି । ଟେଲିକମ୍ କମ୍ପାନୀ ମାନଙ୍କ ସହ ମିଶି ବିଦେଶରୁ ଆସୁଥିବା ଫର୍ଜି କଲ୍ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ସାଧାରଣତଃ ଲୋକଙ୍କୁ ଠକିବା ପାଇଁ ଏହି କଲ୍ ଗୁଡ଼ିକ କରାଯାଉଥିଲା । ସରକାରୀ କର୍ମଚାରୀ କିମ୍ବା ଫର୍ଜି ଗିରଫ କଥା କହି ଲୋକଙ୍କୁ ଠକିବା ପାଇଁ ଏହି କଲ୍ କରିଥାନ୍ତି ସାଇବର ଅପରାଧୀ ।
ସାଇବର ଅପରାଧ ରୋକିବା ପାଇଁ ସରକାର ଏକ ନୂଆ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି । ଏହାକୁ ସାଇବର ଫ୍ରଡ୍ ମ୍ୟାନେଜମେଣ୍ଟ ସେଣ୍ଟର କୁହାଯାଉଛି । ଏହି କେନ୍ଦ୍ରରେ ବ୍ୟାଙ୍କ, ଫାଇନାନ୍ସିଆଲ କମ୍ପାନୀ, ଟେଲିକମ୍ କମ୍ପାନୀ, ଆଇଟି କମ୍ପାନୀ ଏବଂ ପୋଲିସ ମିଶି ଏହି ସଫଳତାର ସୋପାନ ଅତିକ୍ରମ କରିଛନ୍ତି । ଖୁବଶୀଘ୍ର ଏଭଳି ଆହୁରି ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ସହ ସାଇବର ଅପରାଧକୁ ସାମନା କରିପାରିବ ଭାରତ ।