ଡାକିଲେ ମୋହନ; ଯିବେ ତ ନବୀନ? ରାଜନୀତି, ସାଧାରଣରେ ବଢ଼ିଲା ଉତ୍କଣ୍ଠା

ଭୁବନେଶ୍ଵର: ମାର୍ଚ୍ଚ ୫ ତାରିଖକୁ ପ୍ରତିବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ସହ ପଞ୍ଚାୟତିରାଜ ଦିବସ ଭାବେ ପୂର୍ବ ବିଜେଡି ସରକାର ଧୁମ୍‌ଧାମରେ ପାଳନ କରିଆସୁଥଲେ। ଏହାକୁ ସରକାରୀ ଛୁଟି ଦିବସ ଘୋଷଣା କରାଯାଉଥିଲା I କିନ୍ତୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସରକାର ଶାସନ ଢାଞ୍ଚା ବଦଳାଇବା ସହିତ ପଞ୍ଚାୟତିରାଜ ଦିବସକୁ ଏପ୍ରିଲ ୨୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ଏଥିସହିତ ମାର୍ଚ୍ଚ ୫ ତାରିଖକୁ ଆଉ ଛୁଟି ଦିବସ ଭାବେ ପାଳନ କରାଯିବନାହିଁ, ଏହା ସରକାରୀ କାର୍ଯ୍ୟ ଦିବସ ରହିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ତେବେ ଏହି ନିଷ୍ପତ୍ତିକୁ ବିରୋଧୀ ବିଜେଡି ସହଜରେ ଗ୍ରହଣ କରିପାରୁ ନାହିଁ। ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ ମଧ୍ଯ ନିନ୍ଦା କରିଛି। ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଛୁଟି ଉଲ୍ଲେଖ କରାଯାଇଥିଲା I ପଞ୍ଚାୟତିରାଜ ଦିବସ ପାଳନ ତଥା ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ ନେଇ ସରକାରଙ୍କ ଘୋଷଣାକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ନିକଟରେ ଥ‌ିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛି।

ଅନ୍ୟପକ୍ଷରେ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜୟନ୍ତୀ ରାଜ୍ୟ ସରକାର ସମାରୋହରେ ପାଳନ କରିବେ ବୋଲି କ‌ହିଛନ୍ତି। ମଙ୍ଗଳବାର ଏହି ମର୍ମରେ ମୁଖ୍ୟମନ୍ତ୍ରୀ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଙ୍କୁ ଚିଠି ଲେଖି ଆସନ୍ତାକାଲି ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ସଭାରେ ବିଶିଷ୍ଟ ଅତିଥ୍ ଭାବେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସ୍ଥାନୀୟ ଜୟଦେବ ଭବନରେ ୫ ତାରିଖ ସନ୍ଧ୍ୟା ୭ଟାରେ ଏକ ରାଜ୍ୟସ୍ତରୀୟ ସଭା ଆୟୋଜନ କରାଯାଉଥିବାରୁ ଏଥରେ ବିଶିଷ୍ଟ ଅତିଥ ଭାବେ ଯୋଗଦେବାକୁ ସେ ନବୀନଙ୍କୁ ଅନୁରୋଧ କରିଛନ୍ତି ।

ତେବେ ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କାର୍ଯ୍ୟକ୍ରମ ବାତିଲ ପରେ ୫ ମାର୍ଚ୍ଚରେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମକୁ ନବୀନଙ୍କୁ ନିମନ୍ତ୍ରଣ କରି ମୋହନ ନିଜ ସୌଜନ୍ୟତା ରକ୍ଷା କରିଥିଲେ ହେଁ ଏହା ବିଜେଡି ଓ ଏହାର ସଭାପତି ତଥା ବିଜୁ ନନ୍ଦନ ନବୀନଙ୍କ ପାଇଁ କଟା ଘା’ରେ ଚୂନ ସଦୃଶ ହୋଇଛି। ତେବେ ମୋହନଙ୍କ ନିମନ୍ତ୍ରଣକୁ ନବୀନ ଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ, ନା ଏଥୁରୁ ବିରତ ରହିବେ, ତାହାକୁ ନେଇ ରାଜନୈତିକ ଓ ସାଧାରଣରେ ଉତ୍କଣ୍ଠା ବଢିଛି।