fbpx

ଗରମ ବଢୁଥିବାରୁ ମୌସୁମୀର ପ୍ରକୃତି ବଦଳୁଛି, ଏବେବି ଦେଶର ୪୭ ପ୍ରତିଶତ ଅଞ୍ଚଳକୁ ଛୁଇଁନି ମୌସୁମୀ

AAKASH

ନୂଆଦିଲ୍ଲୀ: କେରଳରେ ୭ ଦିନ ବିଳମ୍ବରେ ପହଞ୍ଚିବା ପରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ଦ୍ରୁତ ଗତିରେ ଦେଶର ଅଧିକାଂଶ ଭାଗରେ ପ୍ରବାହିତ ହୋଇସାରିଛି । ଶକ୍ତିଶାଳୀ ଘୂର୍ଣ୍ଣିିର୍ଝଡ ବିପର୍ଯ୍ୟୟ ପ୍ରଭାବହୀନ ହେବା ପରେ ପରେ ମୌସୁମୀ ଗଙ୍ଗାର ସମତଳ ଅଞ୍ଚଳ ଦେଇ ଦ୍ରୁତ ଗତିରେ ଦେଶର ବିଭିନ୍ନ ଅଞ୍ଚଳ କଭର କରି ପାରିଛି । ଜୁନ୍ ଶେଷ ଆଡକୁ ଦେଶର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇଯାଇଛି । ଫଳରେ ମୋଟ ବର୍ଷାର ଅଭାବ ୧୦ ଦିନ ପୂର୍ବରୁ -୫୧ ପ୍ରତିଶତ ଥିବା ବେଳେ ଏବେ ଏହା -୧୯ ପ୍ରତିଶତରେ ପହଞ୍ଚିଛି । କିନ୍ତୁ ଏହି ଡାଟା ଦେଶର ସଂପୂର୍ଣ୍ଣ ଚିତ୍ର ପ୍ରତିଫଳିତ କରୁନାହିଁ । ଦେଶର ପୂର୍ବୋତ୍ତର କ୍ଷେତ୍ରରେ ଏବେବି ବର୍ଷାର ଅଭାବ ଦେଖାଦେଇଛି । ଏହି କ୍ଷେତ୍ର ମଧ୍ୟରେ ଆସୁଛି ବିହାର, ଝାରଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ତେଲେଙ୍ଗାନା, ବିଦର୍ଭ, ଛତିଶଗଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ପରି ରାଜ୍ୟ । ଏଠାରେ କୃଷକ ନିଜର ଖରିଫ ଫସଲ ବୁଣିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ବର୍ଷାଭାବ ତା ପାଇଁ ଚିନ୍ତାର କାରଣ ପାଲଟିଛି ।

ଭାରତର ୪୭ ପ୍ରତିଶତ କ୍ଷେତ୍ର ଏବେ ବର୍ଷାରୁ ବଞ୍ଚିତ । ବିହାର ପରି ଗୁରୁତ୍ୱପୂର୍ଣ୍ଣ ଚାଉଳ ଉତ୍ପାଦକ ରାଜ୍ୟରେ ବର୍ଷାର ଅଭାବ -୭୮ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି । ସେହିପରି ପୂର୍ବ ଉତ୍ତରପ୍ରଦେଶ, ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ଏହା -୫୦ ପ୍ରତିଶତ ରହିଛି । ଏହି ସମସ୍ତ ୪ ରାଜ୍ୟରେ ଗତ ବର୍ଷ ବି ସ୍ୱଭାବିକ ଠାରୁ କମ୍ ମୌସୁମୀ ବର୍ଷା ହୋଇଥିଲା । ସିନ୍ଧୁ ,ଗଙ୍ଗାର ସମତଳ ଅଞ୍ଚଳରେ ଏକ ଭଲ ବର୍ଷାର ବହୁ ଆବଶ୍ୟକତା ରହିଛି । କାରଣ ଏଠାରେ କୃଷକ ନିଜ ଖରିଫ ଫସଲରେ ଜଳ ସିଞ୍ଚନ ଲାଗି ବହୁ ମାତ୍ରାରେ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ । ୪ମାସ ବିଶିଷ୍ଟ ଏହି ମୌସୁମୀ ଋତୁ ବାର୍ଷିକ ବର୍ଷାର ୭୦ ପ୍ରତିଶତ ପ୍ରଦାନ କରିଥାଏ ଯାହା ଉପରେ ଦେଶର କୃଷି ପ୍ରାୟତଃ ନିର୍ଭର କରିଥାଏ ।

ଯେଉଁଠି ଦେଶର ଗୋଟିଏ ଭାଗରେ ଲୋକମାନେ ଏବେବି ବର୍ଷାକୁ ଚାହିଁ ରହିଛନ୍ତି ସେଠି ଅନ୍ୟ ଭାଗରେ ମୌସୁମୀ ବର୍ଷା ପ୍ରଳୟ ରଚିଛି । ଅଚାନକ ଭୀଷଣ ବର୍ଷା କାରଣରୁ ଆସାମରେ ବନ୍ୟା, ହିମାଚଳ ପ୍ରଦେଶରେ ଫ୍ଲାଶ ଫ୍ଲଡ ଓ ଭୂସ୍ଖଳନ, ଉତ୍ତର ପଶ୍ଚିମ ଭାରତରେ ଭୀଷଣ ବର୍ଷା କାରଣରୁ ବହୁ କ୍ଷୟକ୍ଷତି ହୋଇଛି । ଆଗାମୀ କିଛି ଦିନ ଲାଗି ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନରେ ଭୀଷଣ ବର୍ଷା ନେଇ ଆଲର୍ଟ ଜାରି କରି ଦିଆଯାଇଛି ।

ଜଳବାୟୁ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏବେ ଦେଶରେ ଭୀଷଣ ବର୍ଷା ହେଉଥିବା ଦିନର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସ୍ୱଭାବିକ କିମ୍ବା ମଧ୍ୟମ ଧରଣର ବର୍ଷା କମ୍ ହେଉଛି । ଏହାର ଅର୍ଥ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଶୁଷ୍କ ଅବଧି ରହିବ ଓ ମଝିରେ ମଝିରେ ଭୀଷଣ ବର୍ଷା ହେବ । ବାୟୁମଣ୍ଡଳ ଓ ମହାସାଗର ଲଗାତର ଗରମ ହେଉଥିବାରୁ ଅସାମାନ୍ୟ ମୌସୁମୀ ସମ୍ବନ୍ଧିତ ଘଟଣାମାନ ଘଟୁଛି । ଗରମ ବଢୁଥିବାରୁ ମୌସୁମୀର ପ୍ରକୃତି ବଦଳୁଛି । ୧୯୫୦ ରୁ ୨୦୧୫ ମଧ୍ୟରେ ଅତ୍ୟଧିକ ବର୍ଷା ଘଟଣା ୩ ଗୁଣ ବୃଦ୍ଧି ପାଇଛି । ତେବେ ଚଳିତ ବର୍ଷ ମୌସୁମୀର ଏପରି ପରିବର୍ତ୍ତିତ ରୂପ ଲାଗି ତୋଫାନ ବିପର୍ଯ୍ୟୟକୁ ଅଧିକାଂଶ ମାତ୍ରାରେ ଦାୟୀ କରିଛନ୍ତି ।

 

Get real time updates directly on you device, subscribe now.