ନୂଆଦିଲ୍ଲୀ: ସମଗ୍ର ଦେଶର ସରକାରୀ ସ୍କୁଲଗୁଡ଼ିକରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ୮.୪ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି । ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଏ ବାବଦରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସମୟରେ ପ୍ରାଥମିକ ସ୍ତରରେ ୭.୨ ଲକ୍ଷ ଶିକ୍ଷକ ପଦ ଓ ମାଧ୍ୟମିକ ସ୍ତରରେ ୧.୨ ଲକ୍ଷ ଶିକ୍ଷକ ପଦ ଖାଲି ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଦେଶର ସରକାରୀ ସ୍କୁଲଗୁଡ଼ିକରେ ୯.୮ ଲକ୍ଷ ଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ମାର୍ଚ୍ଚ ମାସରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ରିପୋର୍ଟ ଦିଆଯାଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ସ୍ତରରେ ୭.୪ ଲକ୍ଷ ଓ ନବମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ ସ୍ତରରେ ୧.୬ ଲକ୍ଷ ଶିକ୍ଷକ ପଦ ଖାଲି ରହିଥିବା କମିଟି ପକ୍ଷରୁ କୁହାଯାଇଥିଲା । ତେବେ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଠାରୁ ମନ୍ତ୍ରଣାଳୟର ରିପୋର୍ଟରେ ସାମାନ୍ୟ ସୁଧାର ରହିଥିବା କୁହାଯାଉଛି ।
ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ତିନୋଟି ରାଜ୍ୟରେ ଖାଲି ପଡ଼ିଥିବା ମୋଟ ପଦର ଅଧାରୁ ଅଧିକ ପଦ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ରହିଥିବା ଜଣାପଡ଼ିଛି । ବିହାରରେ ପ୍ରାଇମିକ ସ୍କୁଲରେ ୧,୯୨,୦୯୭, ଉତ୍ତରପ୍ରଦେଶରେ ୧,୪୩,୫୬୪, ଝାଡ଼ଖଣ୍ଡରେ ୭୫,୭୨୬, ପଶ୍ଚିମବଙ୍ଗରେ ୫୩,୧୩୭, ମଧ୍ୟପ୍ରଦେଶରେ ୫୨,୩୯୪ ପଦ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ଜଣାପଡ଼ିଛି । ସେହିପରି ବିହାରରେ ମାଧ୍ୟମିକ ସ୍କୁଲରେ ୩୨,୯୨୯, ଝାଡ଼ଖଣ୍ଡରେ ୨୧,୭୧୭, ମଧ୍ୟପ୍ରଦେଶରେ, ୧୫,୧୪୫, ଉତ୍ତରପ୍ରଦେଶରେ ୭,୪୯୨, ପଶ୍ଚିମବଙ୍ଗରେ ୭,୩୭୮ ପଦ ଖାଲି ରହିଛି ।
ବିହାର ସରକାର ଗତ ଅକ୍ଟୋବର ମାସରେ ୧୦ ହଜାରରୁ ଅଧିକ ଶିକ୍ଷକ ପଦରେ ଭର୍ତ୍ତି ପାଇଁ ଘୋଷଣା କରିଥିବା ବେଳେ ଗତ ବର୍ଷ ମଧ୍ୟ ୨.୨୫ ଲକ୍ଷରୁ ଅଧିକ ପଦ ଖାଲି ରହିଥିଲା । ମହାରାଷ୍ଟ୍ର ସରକାର ୨୦୨୨-୨୩ରେ ୧୮ ହଜାରରୁ ଅଧିକ ଶିକ୍ଷକ ପଦ ପୂରଣ କରିଥିବା ବେଳେ ୨୦୨୩-୨୪ରେ ପ୍ରାଥମିକ ସ୍ତରରେ କୌଣସି ଶିକ୍ଷକ ପଦ ଖାଲି ନଥିବା ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଓଡ଼ିଶାରେ ୨୦୨୨-୨୩ରେ ୧୫ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି ରହିଥିବା ବେଳେ ୨୦୨୩-୨୪ରେ ମାଧ୍ୟମିକ ସ୍ତରରେ କୌଣସି ଶିକ୍ଷକ ପଦ ଖାଲି ନଥିବା ରିପୋର୍ଟରୁ ଜଣାପଡ଼ିଛି । ଗୋଆ, କେରଳ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ ଓଡ଼ିଶାରେ ପ୍ରାଥମିକ ସ୍ତରରେ କୌଣସି ପଦ ଖାଲି ନଥିବା ରିପୋର୍ଟରୁ ଜଣାପଡ଼ିଛି । ସେହିପରି କେରଳ, ମହାରାଷ୍ଟ୍ର, ନାଗାଲାଣ୍ଡ, ଓଡ଼ିଶା ଓ ସିକିମରେ ମାଧ୍ୟମିକ ସ୍ତରରେ କୌଣସି ପଦ ଖାଲି ନଥିବା ରିପୋର୍ଟରୁ ଜଣାପଡ଼ିଛି ।