fbpx
BJD
BJD SKY
BJD SKY

‘ସିଙ୍ଘମ୍’ ଭଳି ସିନେମା ସମାଜକୁ ଦେଉଛି କ୍ଷତିକାରକ ବାର୍ତ୍ତା: ଚଳଚ୍ଚିତ୍ରକୁ ନେଇ ଅସନ୍ତୋଷ ବିଚାରପତି

ମୁମ୍ବାଇ: ବଲିଉଡର ଆକ୍ସନ ଷ୍ଟାର ଅଜୟ ଦେବଗନ୍ ଅଭିନୀତ ‘ସିଙ୍ଘମ୍’ ସିନେମା ଅନେକ ଲୋକଙ୍କ ମନକୁ ଛୁଇଁଛି । ତେଣୁ ଏହାର ସଫଳତାକୁ ଦେଖି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ‘ସିଂଘମ୍ ରିର୍ଣ୍ଣସ’ ପରେ ଆଉ ଏକ ପାର୍ଟ ମଧ୍ୟ ନିର୍ମାଣ କରୁଛନ୍ତି । ଏହାବ୍ୟତୀତ ‘ହିରୋ ପୋଲିସ’ ଚରିତ୍ରକୁ ନେଇ ସେ ଏକ ‘ପୋଲିସ ୟୁନିଭର୍ସ’ ଚଳାଇଛନ୍ତି, ଯେଉଁଥିରେ ‘ସିମ୍ବା’ ଏବଂ ‘ସୂର୍ଯ୍ୟବଂଶୀ’ ଭଳି ଚଳଚ୍ଚିତ୍ର ମଧ୍ୟ ରିଲିଜ ହୋଇଛି । କିନ୍ତୁ ଏହିଭଳି ସିନେମାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ହାଇକୋର୍ଟର ବିଚାରପତି । ଏସବୁ ସିନେମା ସମାଜରେ ଭୟଙ୍କର ବାର୍ତ୍ତା ଦେଉଥିବା କହିଛନ୍ତି ବିଚାରପତି ଗୌତମ ପଟେଲ ।

ପୋଲିସ ସଂସ୍କାର ଦିବସ ତଥା ବାର୍ଷିକ ଉତ୍ସବ ପାଳନ ଅବସରରେ ‘ଇଣ୍ଡିଆନ୍ ପୋଲିସ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ ବିଚାରପତି ଗୌତମ ପଟେଲ । ଏହି ଅବସରରେ ସେ କହିଛନ୍ତି ଯେ, କିଛି ସିନେମା ଏବଂ ଏହାର ଚରିତ୍ର ଆଇନ କାନୁନ ଏବଂ ସମାଜର ଚିନ୍ତାଧାରାକୁ ପ୍ରଭାବିତ କରୁଛି । ବିଶେଷ କରି ସିନେମାରେ ପ୍ରଦର୍ଶିତ ‘ହିରୋ ପୋଲିସ’ ଚରିତ୍ର ଓ ଏହାର କାହାଣୀ ଦେଖିବା ପରେ ଜନସାଧାରଣ ଅଧୈର୍ଯ୍ୟ ହୋଇ ପଡ଼ିବା ସହ ଅଦାଲତ ଉପରୁ ସେମାନଙ୍କର ବିଶ୍ୱାସ ମଧ୍ୟ କମ୍ ହେଉଛି । ଏହି କାହାଣୀରେ ପୋଲିସ ଅଫିସର ଆଇନ୍ ବ୍ୟବସ୍ଥା ଉପରେ ଧ୍ୟାନ ନ ଦେଇ ନିଜେ ତୁରନ୍ତ ନ୍ୟାୟ ପ୍ରଦାନ କରୁଥିବା ବେଳେ ଏସବୁ ଲୋକଙ୍କ ମନରେ କ୍ଷତିକାରକ ଧାରଣା ସୃଷ୍ଟି କରୁଥିବା କହିଛନ୍ତି ବିଚାରପତି ।

ପୋଲିସ, ବିଚାରପତି, ରାଜନେତା ଏବଂ ସାମ୍ବାଦିକମାନେ ‘ସ୍ୱେଚ୍ଛାଚାରୀ, ଦୁର୍ନୀତିଗ୍ରସ୍ତ ଏବଂ ଦାୟିତ୍ୱହୀନ’ ବୋଲି ସାଧାରଣରେ ଏକ ଧାରଣା ରହି ଆସିଛି । ନିଜ କର୍ତ୍ତବ୍ୟ ଭୁଲି ଏମାନେ ଅନ୍ୟାୟ କରୁଥିବା ଲୋକମାନେ ଭାବୁଛନ୍ତି । ତେଣୁ ପୋଲିସ ନ୍ୟାୟ ଦେଲେ ସେମାନେ ଖୁସି ହୋଇଯାଉଛନ୍ତି । ଅପରାଧୀ ଖସିଯାଉଥିବା କହି ଜଣକୁ ‘ଏନକାଉଣ୍ଟର’ କରିଦେଲେ ଉଚିତ ନ୍ୟାୟ ହୋଇଛି ବୋଲି ଗ୍ରହଣ କରି ନେଉଛନ୍ତି ଜନସାଧାରଣ । ତେବେ ଏସବୁ ଘଟଣା କେତେ ଗ୍ରହଣୀୟ ବୋଲି ବିଚାରପତି ପ୍ରଶ୍ନ କରିଛନ୍ତି ।

ସେଥିପାଇଁ ଆମେ ନିଜକୁ ନିଜେ ସଂସ୍କାର ନ କଲେ ଆଇନ ପ୍ରଣୟନକାରୀ ବ୍ୟବସ୍ଥାରେ ସଂସ୍କାର ଅଣାଯାଇ ପାରିବ ନାହିଁ ବୋଲି କହିଛନ୍ତି ମୁମ୍ବାଇ ହାଇକୋର୍ଟର ବିଚାରପତି ଗୌତମ ପଟେଲ। ବିଶେଷ କରି ହିନ୍ଦୀ ସିନେମାରେ ପ୍ରଦର୍ଶିତ ଏଭଳି କାହାଣୀ ଏବଂ ଚରିତ୍ର ମନୋରଞ୍ଜନ ପାଇଁ ହୋଇପାରେ । କିନ୍ତୁ ଏହା ଜନସାଧାରଣରେ ଏକ ଅନ୍ୟ ପ୍ରକାର ବାର୍ତ୍ତା ପହଞ୍ଚାଇଛି କିମ୍ବା ଏହାକୁ ଦେଖି ଲୋକମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି ।

Get real time updates directly on you device, subscribe now.