fbpx

୫୦୦୦ ରନ ପୂରଣ କଲେ ମାହି: ସୁପର ଜିଆଣ୍ଟସକୁ ୨୧୮ ରନର ଟାର୍ଗେଟ

ନୂଆଦିଲ୍ଲୀ: ଲକ୍ଷ୍ନୌ ବିପକ୍ଷ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଛି ଚେନ୍ନାଇ ସୁପର କିଙ୍ଗସ । ଋତୁରାଜ ଗାଏକ୍ୱାଡ, ଡେଭନ କନୱେ ଏବଂ ଶେଷରେ କ୍ୟାପଟେନ କୁଲ ମାହିଙ୍କ ଧମାକାଦାର ଇନିଂସ ବଳରେ ସୁପର ଜିଆଣ୍ଟସକୁ ୨୧୮ ରନର ଟାର୍ଗେଟ ଦେଇଛି ଧୋନୀ ବାହିନୀ । ତେବେ ୩ ବଲରେ ୧୨ ରନ କରି ଧୋନୀ ଆଇପିଏଲରେ ଇତିହାସ ରଚିଛନ୍ତି । ବ୍ୟକ୍ତିଗତ ଭାବରେ ନିଜର ୫୦୦୦ ରନ ପୂରଣ କରିଛନ୍ତି ଏମ.ଏସ ଧୋନୀ ।

ଆଇପିଏଲ-୨୦୨୩ର ଆଜି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ସୁପର ଜିଆଣ୍ଟସ । ଏହି ମ୍ୟାଚରେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ । ତେବେ ଏହି ନିଷ୍ପତ୍ତି ତାଙ୍କୁ ମହଙ୍ଗା ପଡିଛି । ହୋମ୍ ଗ୍ରାଉଣ୍ଡରେ ନିଜର କ୍ଲାସ ଦେଖାଇଛି ସିଏସକେ । ଦଳର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନୱେ ଚେନ୍ନାଇକୁ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ମାତ୍ର ୨୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଋତୁରାଜ ରବି ବିଷ୍ଣୋଇଙ୍କ ଶିକାର ପାଲଟିଥିଲେ । ତାଙ୍କ ପାଳିରେ ୩ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା । ପରେ ଡେଭନ କନୱେ ଏବଂ ଶିବମ ଦୁବେ କିଛି ବଡ ଶଟ ଖେଳିଥିଲେ ହେଁ ବଡ ପାର୍ଟନରସିପ କରି ପାରିନଥିଲେ । ଏହାପରେ ପ୍ରଥମ ମ୍ୟାଚ ପରି ଏହି ମ୍ୟାଚରେ ମଧ୍ୟ ଫେଲ ମାରିଛି ଚେନ୍ନାଇର ମଧ୍ୟକ୍ରମ ବ୍ୟାଟିଂ । ଲଗାତାର ୱିକେଟ ହରାଇବାରୁ ବିଶାଳ ସ୍କୋର କରିବାରୁ ବଞ୍ଚିତ ହୋଇଛି ସିଏସକେ ।

ତେବେ ମ୍ୟାଚର ଶେଷ ଓଭରରେ ମଇଦାନକୁ ଆସିଥିଲେ କ୍ୟାପଟେନ କୁଲ ଧୋନୀ । ପ୍ରଥମ ୨ଟି ବଲରେ ଲଗାତାର ଦୁଇଟି ଛକା ମାରି ସେ ଆଇପିଏଲରେ ନିଜର ୫୦୦୦ ରନ୍ ପୂରଣ କରିଛନ୍ତି । ବିରାଟ କୋହଲି, ଶିଖର ଧୱନ, ରୋହିତ ଶର୍ମା ଏବଂ ସୁରେଶ ରାଇନାଙ୍କ ପରେ ସେ ଏହି କ୍ଲବରେ ସାମିଲ ହୋଇଛନ୍ତି । ଶେଷ ଓଭରରେ ଧୋନୀଙ୍କ ଏହି ଦୁଇ ବିଶାଳ ଛକା ସହ ୨୦୦ ରନ ପାର କରିଥିଲା ଚେନ୍ନାଇର ସ୍କୋରବୋର୍ଡ । ତେବେ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ପୁଣିଥରେ ଧୋନୀଙ୍କୁ ନିରାଶ କରିଛନ୍ତି ।

ତେବେ ଧୋନୀଙ୍କ ବ୍ୟତୀତ ଅମ୍ବାତି ରାୟୁଡୁ ଏବଂ ଶିବମ ଦୁବେ ମଧ୍ୟ ବଡ ପାଳି ଖେଳିବାକୁ ଚେଷ୍ଟା କରିଥିଲେ । ଉଭୟ ୨୭ ରନ ଲେଖାଏଁ କରି ଆଉଟ ହୋଇଛନ୍ତି । ସେପଟେ ରବି ବିଷ୍ଣୋଇ ଏବଂ ମାର୍କ ଉଡ ୩ ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ଲକ୍ଷେ୍ନøକୁ ବିଜୟ ପାଇଁ ୨୧୮ ରନର ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗସ ।

Get real time updates directly on you device, subscribe now.