fbpx

ଦିଲ୍ଲୀକୁ ମାତ ଦେଇ ଆଇପିଏଲ୍ ଫାଇନାଲରେ ମୁମ୍ବାଇ

ଦୁବାଇ ,୫ା୧୧: ଭାରତୀୟ ପେସ୍ ବୋଲର ଯଶପ୍ରିତ ବୁମରା ଓ ଅନ୍ୟତମ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଶାଣିତ ବୋଲିଂ ବଳରେ ଚାରିଥର ଚାମ୍ପିଅନ ତଥା ଗତ ବର୍ଷର ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଦିନ ଏଠାରେ ଅନୁଷ୍ଠିତ ଚଳିତ ଆଇପିଏଲ ପ୍ରଥମ କ୍ୱାଲିଫାଏର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ କରିଥିବା ୨୦୧ ରନ ବିଜୟ ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୪୩ ରନ କରିବା ସହ ୫୭ ରନରେ ପରାସ୍ତ ହୋଇଛି । ଟସ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ କରିଥିଲା ୨୦୦ ରନ । ଦଳର ଦୁଇ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ଓ ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିବା ବେଳେ ସପନର ତଥା ୱିକେଟ କିପର କ୍ୱିଣ୍ଟନ ଡି କକ୍ ୫ ଚୌକା ଓ ୧ ଛକା ସହ ୨୫ ବଲରୁ ୪୦,ସୂର୍ଯ୍ୟକୁମାର ଯାଦବ ୬ ଚୌକା ,୨ ଛକା ସହାୟତାରେ ୩୮ ବଲରୁ ୫୧, ଇଶାନ କିଶାନ ୩ ଛକା ଓ ୪ ଚୌକା ବଳରେ ୩୦ ବଲରୁ ଅପରାଜିତ ୫୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୫ ଛକା ସହ କେବଳ ୧୪ ବଲରୁ ଅପରାଜିତ ୩୭ ରନ କରିବା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଲଢ଼ୁଆ ସ୍କୋର କରିବା ଦିଗରେ ସଫଳ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସଫଳ ବୋଲର ଭାବେ ରବି ଚନ୍ଦ୍ରନ ଅଶ୍ୱିନୀ ୨୯ ରନରେ ୩ ୱିକେଟ ଓ ଆନରିକ ନୋରଜେ ଏବଂ ମାର୍କସ ଷ୍ଟୋନିସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଦଖଳ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ୨୦୧ ରନ ବିଜୟ ଲକ୍ଷ୍ୟ ନେଇ ପଛରେବ୍ୟାଟିଂ କରି ପ୍ରାରମ୍ଭରୁ ଶକ୍ତ ଝଟକା ଖାଇଥିଲା । ଦଳ ଖାତା ଖୋଲିବା ପୂର୍ବରୁ ଓପନର ପୃଥ୍ୱୀ’ ଶ (୦),ଶିଖର ଧାୱନ (୦)ଓ ଅଜିଙ୍କ୍ୟା ରାହାଣେ (୦)ଙ୍କ ୱିକେଟ ହରାଇ ଘୋର ସଂଙ୍କଟରେ ପଡିଥିଲା । ସେହିପରି ଅଧିନାୟକ ଶ୍ରେୟସ ଆୟାର ୧୨ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୩ ରନ କରି ଆଉଟ ହେବା ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବିପଦ ଅଧିକରୁ ଅଧିକ ଘନେଇ ଥିଲା । ମୁମ୍ବାଇର ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟ ଅତି ମାରାତ୍ମକ ବୋଲିଂ କରି ଦିଲ୍ଲୀ ଓପନର ପୃଥ୍ୱୀ’ଶ, ଓ ରାହାଣେଙ୍କୁ ଖାଲି ହାତରେ ପ୍ୟାଭିଲିଅନ ଫେରାଇ ଦେଇଥିବା ବେଳେ ଯଶପ୍ରିତ ବୁମରା ଓପନର ଶିଖର ଧାୱନ, ଶ୍ରେୟସ ଆୟାର ମାର୍କସ ଷ୍ଟୋନିସ(୬୫) ଓ ଡାନିଏଲ ସାମ୍ସ(୦) ଙ୍କୁ ଏବଂ କୃନାଲ ପାଣ୍ଡ୍ୟା ଦିଲ୍ଲୀ ୱିକେଟ କିପର ରିଷଭ ପନ୍ତଙ୍କୁ କବଜା କରି ନେଇଥିଲେ ।ସେହିପରି ଅକ୍ଷର ପଟେଲ ୪୨ ରନ କରି କିଛି ସମୟ ପାଇଁ ଲଢ଼େଇ ଜାରି ରଖି ଥିଲେ ହେଁ ଶେଷରେ ପୋଲାର୍ଡଙ୍କ ବଲରେ ଆଉଟ ହୋଇ ଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇ ଥିଲେ ହେଁ ଏଥିରୁ କାøଣସି ଫାଇଦା ଉଠାଇ ପାରି ନ ଥିଲା ।

Get real time updates directly on you device, subscribe now.