କ୍ଷୀର ଲିଟର ୧୮.୫ ଲକ୍ଷ ଟଙ୍କା, ଜେଜେମା’ଙ୍କ ସହ ହୋଇଗଲା ବଡ଼ ସ୍କାମ୍

ଗୋଟିଏ ଲିଟର କ୍ଷୀର ଅର୍ଡର କରି ୧୮.୫ ଲକ୍ଷ ଟଙ୍କା ହରାଇଲେ ମହିଳା।

ମୁମ୍ୱାଇ: କ୍ଷୀର ଲିଟର ପିଛା କେତେ ଟଙ୍କା? ହେଇ ହେଇ ୩୦ କି ୪୦ ଟଙ୍କା ହୋଇଥିବ। ହେଲେ ଏଠି ଜଣେ ଜେଜେମା’ ଗୋଟିଏ ଲିଟର କ୍ଷୀର ବଦଳରେ ୧୮ ଲକ୍ଷରୁ ଅଧିକ ଟଙ୍କା ଦେଇଛନ୍ତି।

ଏହି କଥାଟି ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି ସତରେ କ’ଣ କ୍ଷୀର ଲିଟର ଏତେ ଟଙ୍କା ଯେ ତାଙ୍କୁ ୧୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଦେବାକୁ ପଡିଲା।  ତେବେ ପ୍ରକୃତରେ ଘଟଣା କ’ଣ ଆଉ ଜେଜେମାଙ୍କୁ କାହିଁକି ଏତେ ଟଙ୍କା ଦେବାକୁ ପଡିଲା ଆସନ୍ତୁ ଜାଣିବା।

କ୍ଷୀର ଲିଟର ୧୮ ଲକ୍ଷ: ପ୍ରକୃତରେ ମୁମ୍ବାଇର ଜଣେ ୭୧ ବର୍ଷୀୟ ମହିଳା ଅନଲାଇନରେ ଏକ ଲିଟର କ୍ଷୀର ଅର୍ଡର କରିବା ସମୟରେ ତାଙ୍କ  ବ୍ୟାଙ୍କ ଆକାଉଣ୍ଟରୁ ୧୮.୫ ଲକ୍ଷ ଟଙ୍କା କଟିଗଲା। ଯାହାକୁ ଦେଖି ଜେଜେମା’ଙ୍କ ହୋସ୍ ଉଡିଗଲା।

ଘଟଣା ଏହା ଥିଲା କି, ୱାଡାଲାର ମହିଳା ଏକ ଅନଲାଇନ୍ ଡେଲିଭରି ଆପ୍ ରୁ କ୍ଷୀର ଅର୍ଡର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା କଟିଗଲା।

ମହିଳା ଜଣକ ଏହା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୋବାଇଲକୁ ଲିଙ୍କ ଆସିଥିଲା: ପୋଲିସ କହିଛି ଯେ ଘଟଣାଟି ଅଗଷ୍ଟ ୪ ତାରିଖରେ ଘଟିଥିଲା। ମହିଳାଙ୍କୁ ଜଣେ ବ୍ୟକ୍ତିଙ୍କ ଫୋନ୍ ଆସିଥିଲା ଯିଏ ନିଜକୁ ଏକ କ୍ଷୀର କମ୍ପାନୀର ଅଧିକାରୀ ଦୀପକ ବୋଲି ପରିଚୟ ଦେଇଥିଲେ। ଠକ ଜଣକ ମହିଳାଙ୍କ ମୋବାଇଲ୍ ନମ୍ବରକୁ ଏକ ଲିଙ୍କ୍ ପଠାଇ କ୍ଷୀର ଅର୍ଡର କରିବାକୁ କହିଥିଲେ।

ଠକ ଜଣକ ମହିଳାଙ୍କ କଲ୍ ନକାଟି ଲିଙ୍କ୍ ଉପରେ କ୍ଲିକ୍ କରିବାକୁ କହିଥିଲେ। କଲ୍ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବାରୁ ମହିଳା ଜଣକ ବିରକ୍ତ ହୋଇଗଲେ ଏବଂ ସେ କଲ୍ କାଟିଦେଲେ। କିନ୍ତୁ ତା’ପରଦିନ ମହିଳାଙ୍କ ପାଖକୁ ପୁଣି ଠକଙ୍କ କଲ୍ ଆସିଥିଲା। ହେଲେ ସେତେବେଳକୁ ସବୁ ସରିଯାଇଥିଲା।

ତିନୋଟି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି: ଯେତେବେଳେ ମହିଳା ଜଣକ ବ୍ୟାଙ୍କକୁ ଗଲେ, ସେ ଦେଖିଲେ ଯେ ତାଙ୍କର ଗୋଟିଏ ଆକାଉଣ୍ଟରୁ ୧.୭ ଲକ୍ଷ ଟଙ୍କା ଉଠାଯାଇଛି।

ଅଧିକ ତଦନ୍ତ ପରେ ଜଣାପଡିଲା ଯେ ତାଙ୍କର ଆଉ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯାଇଛି। ପୋଲିସର କହିବା ଅନୁଯାୟୀ, ଅଭିଯୋଗକାରୀଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବାରୁ ତାଙ୍କର ୧୮.୫ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଅଭିଯୁକ୍ତ ଜଣକ ତାଙ୍କ ମୋବାଇଲକୁ ପଠାଇଥିବା ଲିଙ୍କରେ ମହିଳା ଜଣକ କ୍ଲିକ୍ କରିବା ପରେ ତାଙ୍କ ଫୋନକୁ ହ୍ୟାକ୍ କରି ଟଙ୍କା ଉଠାଯାଇଥିଲା।