ମିଆଁମାର ଭୂକମ୍ପ, ଭଙ୍ଗା କାନ୍ଥ ତଳେ ଚାପି ହୋଇ ମଧ୍ୟ ଜୀବନ ଫେରି ପାଇଲେ ୨ ଶିଶୁ

ମୃତ୍ୟୁ ବି ଏହି ଦୁଇ ଶିଶୁଙ୍କ ପାଖରେ ହାର ମାନିଲା। ଭଙ୍ଗା କାନ୍ଥ ତଳେ ଚାପି ହୋଇ ପୁରା ପରିବାର ସଦସ୍ୟଙ୍କର ମୃତ୍ୟୁ ହେଲା। କିନ୍ତୁ ମୃତ୍ୟୁକୁ ମାତ୍ ଦେଇ ଜୀବନ ଫେରି ପାଇଲା ନବ ଜାତ ଶିଶୁ।

ମିଆଁମାର: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି। ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ମିଆଁମାର ଭୂକମ୍ପରେ ମାଟିତଳେ ଜୀବିତ ଥିବା ୨ ଶିଶୁ। ଭୂକମ୍ପ ଝଟକାରେ ଛାରଖାର ହୋଇଯାଇଥିବା ମିଆଁମାରର କାନ୍ଥ ତଳେ ଚାପି ହୋଇ ମଧ୍ୟ ଜୀବିତ ଅଛନ୍ତି ୨ ଶିଶୁ।

ଯାହାକୁ ଦେଖିବା ପରେ ଲୋକେ କହୁଛନ୍ତି ଯାହା ଉପରେ ଭଗବାନଙ୍କର ଆଶିର୍ବାଦ ଥିବ ତାର ବି କ’ଣ କ୍ଷତି ହେବ। ହଁ ଶୁକ୍ରବାର ପ୍ରକୃତି ତାଣ୍ଡବ ରଚିଥିଲା। ଆଉ ମିଆଁମାର ଭୂକମ୍ପରେ ଛାରଖାର ହୋଇଯାଇଥିଲା।

ମିଆଁମାର ଭୂକମ୍ପ: ପ୍ରକୃତିର କୋପ ଆଗରେ ମଣିଷ ଯେ କେତେ ଅସହାୟ, ମିଆଁମାର ଭୂକମ୍ପ ସାରା ବିଶ୍ୱକୁ ଜଣାଇଦେଲା। ଆଉ ଏହାରି ଭିତରେ ଘଟଣାକୁ ପାଖାପାଖି ୪ ଦିନ ପୂରିବାକୁ ବସିଥିବା ବେଳେ ଏବେବି କାନ୍ଥ ତଳେ ଚାପି ହୋଇ ପ୍ରାଣ ହାରିଥିବା ଶବକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆଉ ଏହି ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୭୦୦ରେ ପହଞ୍ଚିଥିବା ବେଳେ, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ହେଲେ ଏହି ମୃତ୍ୟୁର ତାଣ୍ଡବ ଭିତରେ କିନ୍ତୁ ମୃତ୍ୟୁକୁ ପରାସ୍ତ କରିଛନ୍ତି ୨ ଶିଶୁ।

ହାର ମାନିଲା ମୃତ୍ୟୁ: ହଁ ପ୍ରକୃତିର ଧ୍ୱସଂଲୀଳା ଭିତରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ମନରେ ସାହସ ଭରିଛି। ଯେତେବେଳେ ଉଦ୍ଧାରକାରୀ ଟିମ୍ ଭଙ୍ଗା କୋଠା ତଳୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସେତେବେଳେ ଜଣେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ।

ଆଉ ଭଙ୍ଗା କାନ୍ଥ ତଳୁ ଜଣେ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଭୂକମ୍ପ ଝଟକା ପରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। କିନ୍ତୁ ଘର ଭାଙ୍ଗି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି।

ହେଲେ କାନ୍ଥ ତଳେ ଚାପି ହୋଇ ମଧ୍ୟ ଶିଶୁ ଜଣକ ସୁରକ୍ଷିତ ରହିଛି। ଏହି ଶିଶୁକନ୍ୟା ହିଁ ପରିବାରର ଏକମାତ୍ର ବ୍ୟକ୍ତି ଯିଏ କି ଭୂମ୍ପକ ପରେ ଜୀବିତ ରହିଛି। ରେସକ୍ୟୁ ଟିମ୍‌ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ଆଉ ଏକ ଘଟଣା: ସେହିପରି ଆଉ ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ସେହି ସମାନ ସ୍ଥାନରେ। ଯେଉଁଥିରେ ଜଣେ ମାଆ ଓ ଶିଶୁ କାନ୍ଥ ତଳେ ଚାପି ହୋଇ ରହିଛନ୍ତି। ମହିଳାଙ୍କ ଗୋଡ଼ ଉପରେ କାନ୍ଥ ପଡ଼ି ଯାଇଥିବାରୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି।

କିନ୍ତୁ ମାଆ କୋଳରେ ସୁରକ୍ଷିତ ରହିଛି ଶିଶୁଟି। ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଜଣକ ଚାପି ହୋଇ ରହିଥିବା ବେଳେ ଶିଶୁ ମଧ୍ୟ ମାଆ ଉପରେ ଶୋଇ ରହିଛି। ତେବେ ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ପ୍ରଳୟ ପରେ ବି ଜୀବନ ଫେରିପାରିଛନ୍ତି ମହିଳା ଓ ଶିଶୁ।