ଡାଲି ଖରାପ ଥିବା ଅଭିଯୋଗରେ ବିଧାୟକଙ୍କ ଗୁଣ୍ଡାଗିରି: କ୍ୟାଣ୍ଟିନ ଅପରେଟରଙ୍କୁ ଘୋଷାଡ଼ି ମାରିଲେ, କହିଲେ “ଏହା ଶିବସେନା ଷ୍ଟାଇଲ୍”
ଡାଲି ଖରାପ ଥିବା ଅଭିଯୋଗରେ ବିଧାୟକଙ୍କ ଗୁଣ୍ଡାଗିରି
ମୁମ୍ବାଇ: ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ଅସଭ୍ୟ ଆଚରଣ ଏବେ ଚର୍ଚ୍ଚାରେ। ମୁମ୍ବାଇର ଚର୍ଚଗେଟସ୍ଥିତ ଆକାଶବାଣୀ ବିଧାୟକ କ୍ୟାଣ୍ଟିନରେ ଖରାପ ଡାଲି ପରସା ଯିବାରୁ ରାଗିଯାଇ ବୁଲଧାନାର ବିଧାୟକ ସଞ୍ଜୟ ଗାଇକୱାଡ଼ କ୍ୟାଣ୍ଟିନ ଅପରେଟରଙ୍କୁ ମାଡ଼ ମାରି ପକାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା କ୍ୟାମେରାରେ କଏଦ ହୋଇଛି ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯାହା ଜନପ୍ରତିନିଧିଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଛି। ଆଶ୍ଚର୍ଯ୍ୟଜନକ ଭାବେ, ବିଧାୟକ ନିଜ କାର୍ଯ୍ୟ ପାଇଁ କୌଣସି ଅନୁତାପ ନଥିବା କହିଛନ୍ତି ଏବଂ ଏହାକୁ “ଶିବସେନା ଷ୍ଟାଇଲ୍” ବୋଲି କହିଛନ୍ତି।
ଘଟଣା ଅନୁସାରେ, ସଞ୍ଜୟ ଗାଏକ୍ୱାଡ଼ କ୍ୟାଣ୍ଟିନରେ ଡାଲି, ଭାତ ଓ ଦୁଇଟି ରୁଟି ଅର୍ଡର କରିଥିଲେ। କିନ୍ତୁ ଡାଲି ଖାଇବା ବେଳେ ତାହା ଗନ୍ଧ ହେଲା। ଏହାକୁ ସେ ଖାଇ ସାରିବା ପରେ ତାଙ୍କର ବାନ୍ତି ହୋଇଥିଲା ଏବଂ ପେଟରେ ଯନ୍ତ୍ରଣା ହେଲା।
ବିଧାୟକ ରାଗରେ ଅଣ୍ଟାରେ ଗାମୁଛା ବାନ୍ଧି ସେ କ୍ୟାଣ୍ଟିନକୁ ଯାଇ କର୍ମଚାରୀଙ୍କୁ ଡାଲି ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ବିଷୟରେ ପଚାରିଥିଲେ। ସେ କ୍ୟାଣ୍ଟିନରେ ଥିବା ଅନ୍ୟ କର୍ମଚାରୀଙ୍କୁ ଡାଲିର ପ୍ୟାକେଟ ଶୁଙ୍ଘିବାକୁ ମଧ୍ୟ କହିଥିଲେ ଏବଂ ଖାଦ୍ୟ ବିଭାଗକୁ ଡାକି ପ୍ୟାକେଟ ଯାଞ୍ଚ କରିବାକୁ କହିଥିଲେ।
ସେ କହିଥିଲେ, “ଏହା ବିଧାୟକଙ୍କୁ ଦେଇଛ, ଅନ୍ୟମାନଙ୍କୁ କ’ଣ ଦେଉଛ?” ଜଣେ କର୍ମଚାରୀ କହିଥିଲେ, “ଏହା ଖାଇଲେ ମଣିଷ ମରିଯିବ।”
ବିଧାୟକ ରାଗିଯାଇ କ୍ୟାଣ୍ଟିନ ଅପରେଟରଙ୍କୁ ଡାକିବାକୁ କହିଥିଲେ। ଅପରେଟର ଆସିବା ମାତ୍ରେ ସେ ଡାଲିର ପ୍ୟାକେଟ ଖୋଲି ତାଙ୍କୁ ଶୁଙ୍ଘିବାକୁ କହିଲେ।
ଅପରେଟର ମୁଣ୍ଡ ଉଠାଇବା ପୂର୍ବରୁ ବିଧାୟକ ତାଙ୍କୁ ଚଟକଣା ମାରିଥିଲେ। ଏହାପରେ ଆହୁରି ଦୁଇଟି ମୁଥା ମାରି ଅପରେଟରଙ୍କୁ ତଳେ ପକାଇ ଦେଇଥିଲେ।
ଗଣମାଧ୍ୟମ ସହ କଥାବାର୍ତ୍ତାରେ ବିଧାୟକ ଗାଇକୱାଡ଼ କହିଛନ୍ତି, “ଡାଲି ଖରାପ ନୁହେଁ, ସଢ଼ି ଯାଇଥିଲା। ମୁଁ ଡାଲି, ଭାତ ଓ ଦୁଇଟି ରୁଟି ଖାଇ ବାନ୍ତି କଲି ଓ ଅସୁସ୍ଥ ଅନୁଭବ କଲି। ମୁଁ ଅଣ୍ଟାରେ ଗାମୁଛା ବାନ୍ଧି କ୍ୟାଣ୍ଟିନକୁ ଗଲି ଓ ସେମାନଙ୍କୁ ଶୁଙ୍ଘିବାକୁ କହିଲି।
ମ୍ୟାନେଜର ମଧ୍ୟ ଏହା ଖାଇବା ଯୋଗ୍ୟ ନୁହେଁ ବୋଲି କହିଲେ। ବର୍ଷ ବର୍ଷ ଧରି ମୁଁ ସେମାନଙ୍କୁ ଭଲ ଖାଦ୍ୟ ଦେବାକୁ କହିଆସୁଛି। ଏମାନେ ପ୍ରତିଦିନ ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି।”
ଏହି ଘଟଣା ଜନପ୍ରତିନିଧିଙ୍କ ଆଚରଣ ଓ କ୍ଷମତାର ଅପବ୍ୟବହାର ଉପରେ ପ୍ରଶ୍ନ ଉଠାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଏବେ ବିବାଦ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।