ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ବରଣ ପରେ ବିଜେପି ମଧ୍ୟପ୍ରଦେଶରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ତେବେ ଏହା ମଧ୍ୟରେ ଦଳକୁ ଲାଗିଛି ଏକ ବଡ଼ ଝଟକା । ଦଳର ବରିଷ୍ଠ ନେତା ତଥା ମାନ୍ଧାତା ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଶ୍ରୀ ତୋମାର ଦଳରୁ ଇସ୍ତଫା ଦେଇଛନ୍ତି ।
ସୂଚନା ମୁତାବକ, ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ ଦାୟିତ୍ୱରେ ଥିବା ତୋମାର ଦଳର ପ୍ରାଥମିକ ସଦସ୍ୟ ତଥା ରାଜ୍ୟ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଶ୍ରୀ ତୋମାର ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କୁ ଗତ ୨୧ ତାରିଖରେ ପଠାଇଥିବା ଜଣାପଡ଼ିଛି । ତେବେ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ତୋମାରଙ୍କ ପରି ଜଣେ ବରିଷ୍ଠ ନେତା ବିଜେପି ଛାଡ଼ିବାକୁ ନେଇ ରାଜନୀତି ସରଗରମ୍ ହୋଇ ଉଠିଛି ।
ତେବେ ତୋମାରଙ୍କ ଇସ୍ତଫା ପତ୍ରକୁ ବିଜେପି ପକ୍ଷରୁ ଗ୍ରହଣ କରାଯାଇ ନାହିଁ । ଖୁବଶୀଘ୍ର ତୋମାର କଂଗ୍ରେସରେ ସାମିଲ ହୋଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତୋମାର ଜଣେ ବିଜେପି ବିଧାୟକ ହୋଇଥିବା ବେଳେ ସେ ରାଜ୍ୟମନ୍ତ୍ରୀ ଦର୍ଜା ପାଇଛନ୍ତି । ସେ ଗତ ୨୦୦୩ ଓ ୨୦୧୮ରେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ତୋମାର କହିଛନ୍ତି, ଦଳ ତାଙ୍କୁ ଦେଇଥିବା ସମସ୍ତ ଦାୟିତ୍ୱ ସେ ସୁଚାରୁରୂପେ ତୁଲାଇଛନ୍ତି । ତାଙ୍କର କୌଣସି ଅଭିଯୋଗ ନାହିଁ । ତେବେ ତୋମାରଙ୍କ ଇସ୍ତଫା ଦେବା ପଛର କାରଣ ଏବେ ସ୍ପଷ୍ଟ ହୋଇ ନାହିଁ ।