fbpx

ମଙ୍ଗଳ ଗ୍ରହରେ ଚାଲିଛି ‘ସଇତାନ’ର ରାଜ୍! ନାସା ବୈଜ୍ଞାନିକଙ୍କ ସାମ୍ନାକୁ ଆସିଗଲା ଭୟାନକ ଦୃଶ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚି ଏଣେତେଣେ ଘୁରି ବୁଲୁଛି ନାସାର ପର୍ସିଭେରେନ୍ସ ରୋଭର । ମଙ୍ଗଳ ଗ୍ରହର ଟିକିନିକି ଖବର ଦେବା ପାଇଁ ଏବେ ଚେଷ୍ଟା ଜାରି ରଖିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ମଙ୍ଗଳପୃଷ୍ଠରେ ଘୁରି ବୁଲିବା ଭିତରେ ହଠାତ୍ ନାସାର ଏହି ରୋଭର ରୋଭର ଏକ ଭୟଙ୍କର ‘ସଇତାନ୍’ ହାବୁଡ଼ରେ ପଡ଼ି ଯାଇଛି । ଏହି ‘ସଇତାନ୍’କୁ ଦେଖି ନାସାର ବୈଜ୍ଞାନିକମାନେ ମଧ୍ୟ ଚମକି ପଡ଼ିଛନ୍ତି । ରୋଭର ଦ୍ୱାରା ଏହାର ଏକ ଭିଡିଓ ବୈଜ୍ଞାନିକମାନେ ଦେଖିବା ପରେ ସେମାନେ ନିଜକୁ ମଧ୍ୟ ବିଶ୍ୱାସ କରିପାରି ନାହାନ୍ତି ।

ଅଗଷ୍ଟ ୩୦ ତାରିଖ ଅର୍ଥାତ୍ ନାସାର ‘ମାର୍ସ ମିଶନ’ର ୮୯୯ତମ ଦିନରେ ଏକ ଅଜବ ଏବଂ ଭୟଙ୍କର ଦୃଶ୍ୟ ଦେଖାଇଛି ରୋଭର । ମଙ୍ଗଳ ଗ୍ରହର ଜଜେରୋ କ୍ରେଟରର ପଶ୍ଚିମ ରିମ୍ ଅଞ୍ଚଳରେ ଧୂଳି ଭର୍ତ୍ତି ଏକ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି । କୋଲୋରାଡୋରେ ସ୍ପେସ ସାଇନ୍ସ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ତଥା ପର୍ସିଭେରେନ୍ସ ସାଇନ୍ସ ଟିମର ସଦସ୍ୟ ମାର୍କ ଲେମନ୍ କହିଛନ୍ତି ଯେ, ଆମେ ଧୂଳି ସଇତାନ୍ର ଉପରି ଭାଗ ଦେଖୁନାହୁଁ, କିନ୍ତୁ ଏହାର ଛାୟା ଆମକୁ ଏହାର ଉଚ୍ଚତାର ଏକ ଭଲ ସଂକେତ ଦେଇଥାଏ। ଅଧିକାଂଶ ଘୂର୍ଣ୍ଣିଝଡ଼ ଭର୍ଟିକାଲ ହୋଇଥାଏ । କିନ୍ତୁ ଏହାକୁ ଲମ୍ବ ଭାବରେ ମାପ କଲେ ଏହାର ଉଚ୍ଚତା ପ୍ରାୟ ୧.୨ ମିଲ ବା ୨ କି.ମି ହୋଇପାରେ ବୋଲି କହିଛନ୍ତି ଲେମନ୍ ।

ତେବେ ଇମେଜରୀ ଡାଟା ବ୍ୟବହାର କରି ଏହି ଘୂର୍ଣ୍ଣିଝଡ଼ ପ୍ରାୟ ୪ କିଲୋମିଟର ଦୂର ‘ଥୋରୋଫେୟର ରିଜ’ ନାମକ ଏକ ସ୍ଥାନରେ ସୃଷ୍ଟ ହୋଇଥିବ ବୋଲି ବୈଜ୍ଞାନିକ ମାନେ ଅନୁମାନ ଲଗାଇଛନ୍ତି । ଏହା ପ୍ରାୟ ୧୯ କି.ମି ପ୍ରତି ଘଣ୍ଟା ବେଗରେ ପଶ୍ଚିମ ଦିଗକୁ ଗତି କରୁଥିଲା । ଏହାର ଚଉଡ଼ା ପ୍ରାୟ ୬୦ ମିଟର ବୋଲି ଆକଳନ କରିଥିବାବେଳେ କ୍ୟାମେରା ଫ୍ରେମରେ ଘୂରି ବୁଲୁଥିବା ଭଉଁରୀର ନିମ୍ନଭାଗ ୧୧୮ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି । ବୈଜ୍ଞାନିକମାନେ ଘୂର୍ଣ୍ଣିବଳୟର ଛାୟା ବ୍ୟବହାର କରି ଏହାର ସାମଗ୍ରିକ ଉଚ୍ଚତା ପ୍ରାୟ ଦୁଇ କିଲୋମିଟର ଆକଳନ କରିଛନ୍ତି । ତେବେ ମଙ୍ଗଳ ଗ୍ରହରେ ଏଭଳି ଘୂର୍ଣ୍ଣିବଳୟ ବିଶେଷ କରି ବସନ୍ତ ଏବଂ ଗ୍ରୀଷ୍ମ ମାସରେ ସୃଷ୍ଟି ହୋଇଥାଏ । ତେଣୁ କେବେ ଏବଂ କେଉଁ ସ୍ଥାନରେ ଏହା ଦେଖାଯାଇ ପାରିବ, ସେ ନେଇ ବୈଜ୍ଞାନିକମାନେ ସ୍ପଷ୍ଟ ସୂଚନା ଦେଇପାରିବେ ନାହିଁ ।

Get real time updates directly on you device, subscribe now.