fbpx

NCP ବିଭାଜନର ଗୁମର ଖୋଲିଲା: ଅଜିତ କାହିଁକି ଡକାଇଥିଲେ ‘ସିକ୍ରେଟ ମିଟିଂ’, ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା ବିଦ୍ରୋହର କାହାଣୀ

ନୂଆଦିଲ୍ଲୀ: ଗତ ଦୁଇ ତାରିଖରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦେଖାଦେଇଥିଲା ଏକ ଭୟଙ୍କର ବିସ୍ଫୋରଣ । ଅଜିତ ପାୱାର କିଛି ବିଧାୟକଙ୍କ ସହ ଏନସିପି ଛାଡ଼ି ବିଜେପି-ଏକନାଥ ଶିନ୍ଦେଙ୍କ ମେଣ୍ଟରେ ସାମିଲ ହୋଇଥିଲେ । ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ଅନ୍ୟ ୯ ଜଣ ବିଧାୟକ କ୍ୟାବିନେଟରେ ସାମିଲ ହୋଇଥିଲେ । ଏହାପରେ ଏନସିପିର ମାଲିକାନା ଅଜିତ ନା ଶରଦ ପାୱାର କାହା ନିକଟରେ ରହିବା ସେନେଇ ବାଚସ୍ପତି ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଦୁଇ ପକ୍ଷ ଦାବି ଜଣାଇଛନ୍ତି ।

ଉପରକୁ ସବୁ ଠିକଠାକ ଦିଶୁଥିବା ବେଳେ ଦାଦା-ପୁତୁରାଙ୍କ ସମ୍ପର୍କରେ କାହିଁକି ଫାଟ ସୃଷ୍ଟି ହେଲା ସେନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦାଦା-ପୁତୁରାଙ୍କ ବିବାଦ ଦିନେ କି ଦୁଇ ଦିନର ନୁହେଁ । ତିନି ମାସ ତଳୁ ଏହି ବିଦ୍ରୋହର ମଞ୍ଜି ଜନ୍ମ ନେଇଥିଲା । ଖବର ଅନୁଯାୟୀ, ଗତ ଏପ୍ରିଲ ମାସ ୧୧ ତାରିଖରେ ଲୋକସଭା ନିର୍ବାଚନ ବାବଦରେ ଆଲୋଚନା କରିବା ଶରଦ ମୁମ୍ବାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ବୈଠକ ଡକାଇଥିଲେ । ସେହିଦିନ ଅପରାହ୍ଣ ୪ଟା ସମୟରେ ଅଜିତ ଅଲଗା ଭାବେ ଏକ ‘ସିକ୍ରେଟ ମିଟିଂ’ ଡକାଇଥିଲେ । ସେହିଦିନରୁ ହିଁ ଏନସିପିରେ ଜନ୍ମ ନେଇଥିଲା ଅସଲ ବିଷ ମଞ୍ଜି ।

ଅଜିତଙ୍କ ଉକ୍ତ ବୈଠକରେ ପ୍ରଫୁଲ୍ଲ ପଟେଲ, ଧନଜୟ ମୁଣ୍ଡେ, ଅନିଲ ଦେଶମୁଖ, ଦିଲୀପ ବାଲସେ, ଛଗଡ଼ ଭୁଗବଳଙ୍କ ପରି କିଛି ନେତା ସାମିଲ ହୋଇଥିଲେ । ସେହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଯାଞ୍ଚରୁ ଏନସିପିର କୌଣସି ନେତା ମୁକୁଳି ପାରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା । ଏଥିସହିତ ବୟସାଧିକ୍ୟ କାରଣରୁ ଶରଦ ଏନସିପିର ଅଧ୍ୟକ୍ଷ ପଦରେ ରହିବା ଅନୁଚିତ ବୋଲି ମଧ୍ୟ ଆଲୋଚନା ହୋଇଥିଲା ।

ଯଦି କୌଣସି ଜରୁରୀ ପରିସ୍ଥିତି ଉପୁଜେ ତେବେ ଦଳରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇପାରେ । ତେଣୁ ସୁପ୍ରିୟା ସୁଲେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ସହିତ ଅଜିତଙ୍କୁ ମହାରାଷ୍ଟ୍ରର ପ୍ରଭାରୀ ଦାୟିତ୍ୱ ଦେବା ଉଚିତ । ଏହାପରେ ଅଜିତ ଏ ବାବଦରେ ସୁପ୍ରିୟାଙ୍କ ସହିତ ଆଲୋଚନା କରିଥିଲେ । ମେ ପହିଲାରେ ଶରଦ ଓ ସୁପ୍ରିୟାଙ୍କୁ ଅଜିତ ଭେଟିଥିଲେ । ସୁପ୍ରିୟାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଓ ଅଜିତଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ନିଷ୍ପତ୍ତିକୁ ନେଇ ଶରଦ ସହମତି ପ୍ରକାଶ କରିଥିଲେ ।

ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପୂର୍ବରୁ ଶରଦ ଅଜିତଙ୍କୁ ଜଣାଇଥିଲେ । ଏହାପରେ ଅଜିତ ଇସ୍ତଫା ଦେଇଥିଲେ ଓ ପରବର୍ତ୍ତୀ ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ପୁନର୍ବାର ଅଧ୍ୟକ୍ଷ ଦାୟିତ୍ୱ ବଜାୟ ରଖିଥିଲେ । କୁହାଯାଉଛି ଅଜିତ ପ୍ରଫୁଲ୍ଲ ପଟେଲଙ୍କ ସହିତ ମିଶି ବିଜେପି ନେତା ଦେବେନ୍ଦ୍ର ଫଡନବୀସଙ୍କ ସହିତ ଯୋଗସୂତ୍ର ରକ୍ଷା କରିଥିଲେ । ସୁପ୍ରିୟା ଓ ପ୍ରଫୁଲ୍ଲଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରାଯିବା ବେଳକୁ ଅଜିତଙ୍କ ବିଜେପି ସହିତ ସମ୍ପର୍କ ବହୁତ ଆଗକୁ ବଢ଼ିଯାଇଥିଲା । ଜୁନ ୩୦ରେ ୧୦ ଜଣ ନେତାଙ୍କର ବୈଠକ ବସିବା ସହିତ ସେମାନେ ବିଜେପିକୁ ଯିବା ନେଇ ନିଷ୍ପତ୍ତି ନେଇଥିଲେ । ଏହାର ଦୁଇ ଦିନ ପରେ ଅଜିତଙ୍କ ସହିତ ୯ ଜଣ ଏନସିପି ନେତା ଶିନ୍ଦେ କ୍ୟାବିନେଟରେ ଶପଥ ନେଇଥିଲେ ।

Get real time updates directly on you device, subscribe now.