fbpx

NMC ଦେଲା ବଡ଼ ଆଶ୍ୱସ୍ତି: NEET UG ପରୀକ୍ଷା ପାଇଁ ଯୋଗ୍ୟତା ନିୟମ ବଦଳିଲା

ନୂଆଦିଲ୍ଲୀ: ଏମବିବିଏସ, ବିଡିଏସ ଓ ବିଏଏସଏମ ପରି ଅଣ୍ଡରଗ୍ରାଜୁଏଟ ମେଡିକାଲ କୋର୍ସରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ) ୟୁଜି ପରୀକ୍ଷାର ଯୋଗ୍ୟତା ନିୟମରେ ପରିବର୍ତ୍ତନ କରାଯାଇଛି । ଏନେଇ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏକାଦଶ ଓ ଦ୍ୱାଦଶ ବିଷୟ ଆଧାରରରେ ଯେଉଁମାନଙ୍କର ଆବେଦନ ରଦ୍ଦ ହୋଇଥିଲା, ଏହି ନିୟମ ପରିବର୍ତ୍ତନ ଫଳରେ ଏବେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସ୍ନାତକ ମେଡିକାଲ ରେଗୁଲେସନ ୨୦୨୩ ପ୍ରସ୍ତୁତ ହେବା ପରେ ବିଭିନ୍ନ ସଂଶୋଧନ ସମେତ ପୂର୍ବ ନିୟମକୁ ରଦ୍ଦ କରାଯାଇଥିବା ନେଇ ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ତେବେ ଯେଉଁ ଛାତ୍ରଛାତ୍ରୀମାନେ ମାନ୍ୟତ୍ରପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀରେ ଇଂରାଜୀ ବିଷୟ ସହିତ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ବା ବାୟୋ ଟେକ୍ନୋଲୋଜି ବିଷୟରେ ପାଠ ପଢ଼ିଥିବେ, ସେମାନେ ନିଟ ୟୁଜି ପରୀକ୍ଷାରେ ବସିପାରିବେ । ଦ୍ୱାଦଶ ପାସ କରିବା ପରେ ଅତିରିକ୍ତ ବିଷୟ ଭାବେ ବାୟୋଲୋଜି ଓ ବାୟୋ ଟେକ୍ନୋଲୋଜି ବା ଅନ୍ୟ ଆବଶ୍ୟକୀୟ ବିଷୟଗୁଡ଼ିକର ଅଧ୍ୟୟନ ସମ୍ପୂର୍ଣ୍ଣ କରାଯାଇ ପାରିବ ନାହିଁ । ୟୁଜି ମେଡିକାଲ କୋର୍ସରେ ଆଡମିଶନ ପାଇଁ ପୂର୍ବରୁ ଭାରତୀୟ ମେଡିକାଲ ପରିଷଦ (ଏମସିଆଇ) ଦ୍ୱାରା ଏଣ୍ଟ୍ରାସ ଓ ସିଲେକ୍ସନ ନିୟମ ପ୍ରସ୍ତୁତ କରାଯାଇଥିଲା । ସେଥିରେ ଛାତ୍ରଛାତ୍ରୀଙ୍କୁ ଏକାଦଶ ଓ ଦ୍ୱାଦଶ ପରେ ଇଂରାଜୀ ଓ ପ୍ରାକ୍ଟିକାଲ ସହିତ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ବା ବାୟୋ ଟେକ୍ନୋଲୋଜିର ବିଷୟକୁ ରେଗୁଲାର ସ୍କୁଲରେ ଦୁଇ ବର୍ଷ ପର୍ଯ୍ୟନ୍ତ ପଢ଼ିବା ଜରୁରୀ ଥିଲା । ତେବେ ଯେଉଁମାନଙ୍କର ଆବେଦନ ପୂର୍ବରୁ ଖାରଜ ହୋଇଥିଲା ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି ସଦ୍ୟ ଜାରି ହୋଇଥିବା ନୋଟିସରେ ଏନଏମସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.