fbpx

ନୂଆ ସଂସଦ ଭବନକୁ ଆଜି ମିଳିବ ପାରମ୍ପରିକ ମର୍ଯ୍ୟାଦା: ଇତିହାସ ହେଲା ଭାରତର ପୁରୁଣା ସଂସଦ ଭବନ

AAKASH

ନୂଆଦିଲ୍ଲୀ: ଆଜି ଇତିହାସରେ ପରିଣତ ହୋଇଯିବ ଭାରତର ପୁରୁଣା ସଂସଦ ଭବନ । ଦେଶର ନୂଆ ସଂସଦ ଭବନକୁ ଆଜି ମିଳିବ ପରିଚୟ । ପୁରୁଣା ସଂସଦକୁ ପଛରେ ପକାଇ ଏବେ ଦେଶର ‘ବର୍ତ୍ତମାନ’ ପାଲଟିଛି ନୂଆ ସଂସଦ ଭବନ । ମହାପ୍ରଭୁ ଗଜାନନଙ୍କ ପବିତ୍ର ‘ଗଣେଶ ଚତୁର୍ଥୀ’ ଅବସରରେ ନୂଆ ସଂସଦର ‘ଶ୍ରୀଗଣେଶ’ ହେବ । ଏଥିସହିତ ଏହାକୁ ମିଳିବ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା । ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ଅଗ୍ରପୂଜ୍ୟ ପ୍ରଭୁ ଗଣପତିଙ୍କ ଆଶିଷ ନେଇ ନୂଆ ସଂସଦକୁ ଦିଆଯିବ ମାନ୍ୟତା । ତେଣୁ ଆଜିଠାରୁ ନୂଆ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଦିନ ୧.୧୫ରେ ଅଧିବେଶନ ଏବଂ ୨.୧୫ରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ । ଗତକାଲି ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଥିବା ବେଳେ ଆଜିର ଏହି ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇପାରେ ।

Old vs New Sansad Bhavan Interesting Facts - नया संसद भवन पुराने संसद भवन  के मुकाबले कई मायनों में खास है

ଇତିହାସରେ ପରିଣତ ହେବ ପୁରୁଣା ସଂସଦ ଭବନ:

ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ପାଲଟିଥିଲା ସଂସଦର ପୁରୁଣା ଭବନ । ଦେଶର ସମ୍ବିଧାନ ଏହି ଭବନରେ ଗ୍ରହଣ କରାଯାଇଥିଲା । ମଙ୍ଗଳବାରଠାରୁ ପୁରୁଣା ବିଲଡିଂରେ ଆଉ ଅଧିବେଶନ ବସିବ ନାହିଁ । ଭାରତ ସ୍ୱାଧୀନତା ପାଇବା ପରଠାରୁ ସଂସଦର ସମସ୍ତ କାର୍ୟ୍ୟ ଏହି ପୁରୁଣା ଭବନରେ କରାଯାଉଥିଲା । ଏହା ଇତିହାସର ସାକ୍ଷୀ ହୋଇ ଚିରକାଳ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଙ୍ଗଳବାରଠାରୁ ସାଂସଦମାନେ ନୂଆ ବିଲଡିଂରେ ବସିବେ । ୨୨ ତାରିଖ ପର୍ୟ୍ୟନ୍ତ ସେଠାରେ ସ୍ୱତନ୍ତ୍ର ଅଧିବେଶନ ଚାଲୁ ରହିବ । ୧୯୨୭ ମସିହାରେ ପୁରୁଣା ସଂସଦର ନିର୍ମାଣ କାମ ଶେଷ ହୋଇଥିବାବେଳେ ଇତିମଧ୍ୟରେ ବିତିଯାଇଛି ୯୬ ବର୍ଷ । ସୋମବାରଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଧିବେଶନରେ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣ ରଖୁଥିବାବେଳେ ପୁରୁଣା ଭବନକୁ ନେଇ ବେଶ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ । ସେ ବିଲଡିଂର ପ୍ରତ୍ୟେକ ଇଟାକୁ ମନେ ପକାଇଥିଲେ । ସାଂସଦମାନେ ନୂଆ ଆଶା ଓ ବିଶ୍ୱାସର ସହ ମଙ୍ଗଳବାରଠାରୁ ଏହି ନୂଆ ବିଲଡିଂରେ ପ୍ରବେଶ କରିବେ ବୋଲି ସେ କହିଥିଲେ ।

ଏହି ଐତିହାସିକ ସଂସଦ ବିଲଡିଂର ଡିଜାଇନ ପ୍ରସ୍ତୁତ କରିଥିଲେ ବ୍ରିଟିଶ ଆର୍ଟିଟେକ୍ ସାର୍ ଏଡୱିନ ଲୁଟେୟନ୍ ଓ ହେରବେକ୍ ବାକେଡ୍ । ଏହି ବିଲଡିଂ କେବଳ ଦେଶର ସ୍ୱାଧୀନତା ସଂଗ୍ରାମକୁ ଦେଖିନାହିଁ, ବରଂ ଏହା ଉପରେ ଦେଶ କରିଥିବା ପ୍ରଗତିର ମୂକସାକ୍ଷୀ ପାଲଟିଛି । ତେବେ ଏହି ସଂସଦ ଭବନକୁ ଭଙ୍ଗାଯିବ ନାହିଁ । ଏହାକୁ ନବୀକରଣ କରାଯାଇ ସଂସଦୀୟ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ । ଏହା ଦେଶର ଐତିହାସିକ ସମ୍ପତ୍ତି ହୋଇଥିବାରୁ କେନ୍ଦ୍ର ସରକାର ଏହାର ସଂରକ୍ଷଣ କରିବେ । ଚଳିତବର୍ଷ ମେ ମାସରେ ପ୍ରଧାନମନ୍ତ୍ରୀ ସଂସଦର ନୂଆ ବଲ୍ଡିଂକୁ ଉଦ୍ଘାଟନ କରିଥିଲେ । ଲୋକସଭା ଚାମ୍ବରରେ ଏକକାଳୀନ ୮ଶହ ଏବଂ ରାଜ୍ୟସଭାରେ ୩ଶହ ଜଣ ବସିବାର ବ୍ୟବସ୍ଥା କରାଯାଇଛି ।

ଅଧିବେଶନ ଆରମ୍ଭ ପୂର୍ବରୁ ପୁରୁଣା ଭବନକୁ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ, ଏହି ଭବନ ଛାଡିବାର ଅନୁଭବ ସ୍ମୃତି ହୋଇ ରହିଯିବ । ପୁରୁଣା ସଂସଦ ଭବନ ବିଦେଶୀ ଶାସକ ନିର୍ମାଣ କରିଥିବାବେଳେ ନୂଆ ଭବନ ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ । ସେ ଆହୁରି କହିଥିଲେ ଯେ ଚନ୍ଦ୍ରଯାନ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ । ସେହିପରି ଜି-୨୦ ସଫଳତା କୌଣସି ବ୍ୟକ୍ତି କିମ୍ବା ଦଳର ନୁହେଁ, ଏହା ଦେଶର ୧୪୦ କୋଟି ଲୋକଙ୍କ ସଫଳତା ବୋଲି ଉଲ୍ଲେଖ କରି ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋକପାତ କରିବା ସହ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଥିଲେ ।

Get real time updates directly on you device, subscribe now.