fbpx

ସ୍ଵପ୍ନ ଧୂଳିସାତ, ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତିଲା ନ୍ୟୁଜିଲାଣ୍ଡ, ନିରାଶ କଲେ ବିରାଟ ବାହିନୀ 

ନୂଆଦିଲ୍ଲୀ: ଇତିହାସ ରଚିଲା ନ୍ୟୁଜିଲାଣ୍ଡ। ୨୦୧୯ ବିଶ୍ଵ କପ୍ ଫାଇନାଲ୍ରେ କଡା ସଂଘର୍ଷ କରି ହାରିଥିବା କିଓ୍ଵି ଦଳ ଐତିହାସିକ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତି ଇତିହାସ ରଚିଛି। ଏଥିସହ କ୍ରିକେଟ୍ ଦୁନିଆକୁ ମିଳିଲା ନୂତନ ଟେଷ୍ଟ ବାଦଶାହା। ଭାରତକୁ ୮ ଓ୍ଵିକେଟ୍ ରେ ପରାସ୍ତ କରି ବହୁ ପ୍ରତୀକ୍ଷିତ ଏବଂ ବର୍ଷା ବାଧିତ ମୁକାବିଲାକୁ ଜିତିବାରେ ସକ୍ଷମ ହୋଇଛି ନ୍ୟୁଜିଲାଣ୍ଡ। ଅନ୍ୟପଟେ ଭାରତୀୟ ବ୍ୟାଟସମ୍ୟାନଙ୍କ ନିରାଶ ଜନକ ପ୍ରଦର୍ଶନ କାରଣରୁ ଭାରତକୁ ପ୍ରଥମ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ରେ ନିରାଶ ହେବାକୁ ପଡ଼ିଛି। ସ୍ଵପ୍ନ ଧୂଳିସାତ ହୋଇଛି।

ବୋଲର ଶତ ଚେଷ୍ଟା କରିଥିଲେ ମଧ୍ୟ ଭାରତକୁ ପରାଜୟରୁ ମୁକୁଳାଇ ପାରିନଥିଲେ। ଏଥିସହ ଭାରତର ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ହାତରୁ ପରାଜୟର ଧାରା ବଜାୟ ରହିଛି। ୨୦୧୯ ବିଶ୍ଵ କପ୍ ସେମି ଫାଇନାଲ୍ରେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇ ଫାଇନାଲ୍ ଦୌଡରୁ ବାଦ୍ ପଡିଥିଲା। ଲାଗୁଥିଲା ଭାରତ ଏହି ମୁକାବିଲା ଜିତି ମଧୁର ପ୍ରତିଶୋଧ ନେବ। କିନ୍ତୁ ବିରାଟ ବାହିନୀ ଭାରତୀୟ କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିଛନ୍ତି। 

ଭାରତ ଦ୍ଵିତୀୟ ଇନିଂସରେ ୧୭୦ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୧୩୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଦଳ ଆରମ୍ଭରେ ୨ଟି ଓ୍ଵିକେଟ୍ ହରାଇଥିଲେ ମଧ୍ୟ ଅଧିନାୟକ କେନ ଓ୍ଵିଲିୟମସନ ଓ ରସ ଟେଲର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍ରେ ଫାଇନାଲ୍ ମ୍ୟାଚ୍ରେ ବିଜୟୀ ହୋଇଛି। ଓ୍ଵିଲିୟମସନ ୫୨ ଓ ରସ ଟେଲରର ୪୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ତୃତୀୟ ଓ୍ଵିକେଟରେ ୯୬ ରନ ଯୋଡି ଦଳ ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ପ୍ରଥମ ଏବଂ ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁଁ ବାତିଲ୍ ହେବା ଏବଂ ଖରାପ ଆଲୋକ କାରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ରିଜର୍ଭ ଡେରେ ପରିଣାମ ବାହାରିଛି। ଏଥିସହ କ୍ରିକେଟ୍ ଦୁନିଆକୁ ମିଳିଛି ଟେଷ୍ଟ କ୍ରିକେଟ୍ର ନୂତନ ବାଦଶାହା।

ପ୍ରଥମ ଇନିଂସରେ ଭାରତ ୨୧୭ ରନରେ ଅଲଆଉଟ୍ ହୋଇଥିଲା। ଆଜିଙ୍କ୍ୟ ରାହାଣେ ୪୯ ଏବଂ ଅଧିନାୟକ ବିରାଟ କୋହଲି ୪୪ ରନର ଇନିଂସ ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ୍ ଜେମିସନ ୫ ଓ୍ଵିକେଟ୍ ନେଇ ଭାରତକୁ ବଡ ସ୍କୋରରୁ ବଞ୍ଚିତ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଡେଭନ କନଓ୍ଵେଙ୍କ ୫୪ ଓ ଓ୍ଵିଲିୟମସନଙ୍କ ୪୯ ରନ ବଳରେ ୨୪୯ ରନ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ ଓ୍ଵିକେଟ୍ ଓ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଥିଲେ।

୩୨ ରନରେ ପଛୁଆ ରହିବା ପରେ ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ କିଓ୍ଵି ବୋଲରଙ୍କ ଶାଣିତ ବୋଲିଂର ସାମ୍ନା କରିପାରନଥିଲେ ଭାରତୀୟ ବ୍ୟାଟସମ୍ୟାନ। ପ୍ରଥମ ଇନିଂସଠୁ ମଧ୍ୟ ଭାରତୀୟ ବ୍ୟାଟସମ୍ୟାନ ଦୟନୀୟ ବ୍ୟାଟିଂ କରିଥିଲେ। ଋଷଭ ପନ୍ତଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ କିଓ୍ଵି ବୋଲରଙ୍କ ମୁକାବିଲା କରି ପାରିନଥିଲେ। ପନ୍ତ ଦଳ ପକ୍ଷରୁ ଦ୍ଵିତୀୟ ଇନିଂସରେ ସର୍ବାଧିକ ୪୧ ରନ କରିଥିଲେ। କୋହଲି, ୧୩, ଚେତେଶ୍ଵର ପୂଜାରା ୧୫, ରବୀନ୍ଦ୍ର ଜାଡେଜା ୧୬ ରନ କରିଥିଲେ ମଧ୍ୟ କେହି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଶେଷରେ ଭାରତ ୧୭୦ ରନରେ ଅଲଆଉଟ୍ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସାଉଦି ୪ ଓ୍ଵିକେଟ୍ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଟେଣ୍ଟ ବୋଲ୍ଟ ୩, କାଇଲ ଜେମିସନ ୨ ଓ ନିଲ ଓ୍ଵାଗନର ୧ ଓ୍ଵିକେଟ୍ ନେଇ ଭାରତକୁ ବଡ ସ୍କୋର କରିବାରେ ବଞ୍ଚିତ କରିଥିଲେ।

Get real time updates directly on you device, subscribe now.