ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୀମା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ୫୦୦ଟି ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ଦି ନ୍ୟୁ ଇଣ୍ଡିଆନ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ (ଏନଆଇଏସିଏଲ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଶର୍ଟ ବିଜ୍ଞପ୍ତି ଦେଖିପାରିବେ । ଆସନ୍ତା ୧୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ସହ ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି କରାଯିବ ।
ଡିସେମ୍ବର ୧୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଚ୍ଛୁକ ପ୍ରାର୍ଥୀମାନେ ଏହି ଅବଧି ମଧ୍ୟରେ ଆବେଦନ କରିପାରିବେ । ଚଳିତ ବର୍ଷ ଡିସେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୨୧ ଓ ସର୍ବାଧିକ ବୟସ ଯୋଗ୍ୟତା ୩୦ ବର୍ଷ ରହିଥିବା ଆବଶ୍ୟକ । ସେହିପରି ଚଳିତ ବର୍ଷ ଡିସେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀମାନେ ଯେଉଁ ରାଜ୍ୟ ପାଇଁ ଆବେଦନ କରିବେ ସେହି ରାଜ୍ୟର ଆଞ୍ଚଳିକ ଭାଷା ବିଷୟରେ ଜ୍ଞାନ ହାସଲ କରିଥିବା ଆବଶ୍ୟକ । ମେଟ୍ରୋ ସିଟିରେ ପ୍ରାର୍ଥୀଙ୍କୁ ମାସିକ ପାଖାପାଖି ୪୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।