କାୟା ମେଲାଉଛି ଓମିକ୍ରନ, ଏହି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ

ଭୋପାଳ: କରୋନା ଭାଇରସ୍ର ନୂତନ ସ୍ଵରୂପ ଓମିକ୍ରନ କାରଣରୁ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି। ନିକଟ ଦିନରେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ଦେଖା ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶ ସରକାର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ରାତି ୧୧ଟାରୁ ସକାଳ ୫ଟା ଯାଏଁ ବଳବର୍ତ୍ତର ରହିବ। ଆବଶ୍ୟକ ପଡିଲେ ଆଗାମୀ ଦିନରେ ଆହୁରି କଠୋର ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହି କାରଣରୁ ଆମେ ଏହି ନିଷ୍ପତ୍ତି ନେଇଛୁ। ସ୍କୁଲରେ ପୂର୍ବବତ୍ତ ୫୦ ପ୍ରତିଶତ ଛାତ୍ରଙ୍କୁ ନେଇ ପାଠପଢା ନିୟମ ଜାରି ରହିବ। ଆବଶ୍ୟକ ପଡିଲେ ଆମେ ଆହୁରି ପଦକ୍ଷେପ ନେବୁ। ଘରେ ଯଦି ବ୍ୟବସ୍ଥା ଅଛି ତେବେ ପଜିଟିଭ୍ ରୋଗୀଙ୍କୁ ଘରେ ଆଇସୋଲେଟ୍ କରାଯାଇ ଚିକିତ୍ସା କରିବୁ। ନଚେତ୍ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଅନେକ ମାସ ପରେ ମଧ୍ୟ ପ୍ରଦେଶରେ କୋଭିଡ୍ର ୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର, ଗୁଜରାଟ ଏବଂ ଦିଲ୍ଲୀରେ କରୋନା ପଜିଟିଭ୍ କେସ୍ ବଢିବାରେ ଲାଗିଛି। ଗତକାଲି ମହାରାଷ୍ଟ୍ରରେ ୧୨୦୧, ଗୁଜରାଟରେ ୯୧ ଏବଂ ଦିଲ୍ଲୀରେ ୧୨୫ କେସ୍ ଚିହ୍ନଟ ହୋଇଛି।

ପୂର୍ବର ଅଭିଜ୍ଞତାରୁ ଦେଖିଛୁ ଯେ, ଗୁଜରାଟ-ମହାରାଷ୍ଟ୍ରରେ ଯେବେ କେସ୍ ବଢିଛି, ମଧ୍ୟ ପ୍ରଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ କରୋନା ନିଜର ସ୍ଵରୂପ ବଦଳାଇଛି। ନୂତନ ସ୍ଵରୂପ ଓମିକ୍ରନ ଦେଶର ୧୬ ରାଜ୍ୟରେ ଚିହ୍ନଟ ହେଲେଣି। ତେବେ ମଧ୍ୟ ପ୍ରଦେଶରେ ଇନ୍ଦୋର ଏବଂ ଭୋପାଳରୁ ହିଁ କରୋନାର ପ୍ରଥମ ଦୁଇ ଲହର ଆରମ୍ଭ ହୋଇଥିଲା ବୋଲି ଶିବରାଜ କହିଛନ୍ତି।