ନାଇଟ କ୍ଲବରେ ଚାଲିଥିଲା ଲାଇଭ ଶୋ, ହଠାତ୍ ନିଆଁ ଲାଗିବାରୁ 51ଜଣଙ୍କ ମୃତ୍ୟୁ

ନାଇଟ କ୍ଲବରେ 1500ରୁ ଅଧିକ ଲୋକ ରହିଥିବା ବେଳେ ହଠାତ୍ ଲାଗିଲା ନିଆଁ ।

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଉତ୍ତର ମାସିଡୋନିଆର କୋସାନିରେ ଥିବା ଲୋକପ୍ରିୟ ପଲ୍ସ ନାଇଟ୍ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ 51 ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଏହି ନାଇଟ୍ କ୍ଲବ୍ ରାଜଧାନୀ ସ୍କୋପଜେରୁ ପ୍ରାୟ 100 କିଲୋମିଟର ପୂର୍ବରେ ଅବସ୍ଥିତ । ରବିବାର ଭୋର ସମୟରେ ପ୍ରସିଦ୍ଧ ହିପ୍-ହପ୍ ଦମ୍ପତି ADN ଲାଇଭ୍ ପ୍ରଦର୍ଶନ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।

ADNର ପ୍ରଦର୍ଶନ ଦେଖିବା ପାଇଁ ପ୍ରାୟ 1,500 ଲୋକ ଏକାଠି ହୋଇଥିଲେ । ନିଆଁ ଲାଗିବା ପରେ, କିଛି ଘଣ୍ଟା ମଧ୍ୟରେ ଏହା କ୍ଲବରେ ଦ୍ରୁତ ଗତିରେ ବ୍ୟାପିଗଲା । ଏହା ଅନୁମାନ କରାଯାଉଛି ଯେ ନିଆଁ ପାଇରୋଟେକ୍ନିକ୍ ପ୍ରଭାବରୁ ଲାଗି ଥାଇପାରେ । ଏହା ଆତସବାଜି ପାଇଁ ବ୍ୟବହୃତ ହୁଏ, ଯାହା ସ୍ପାର୍କିଂ ସୃଷ୍ଟି କରେ ।

ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ, ନାଇଟ୍‌କ୍ଲବ୍‌ଟି ନିଆଁରେ ବୁଡ଼ି ରହିଥିବାର ଦେଖାଯାଉଛି ଏବଂ ରାତିର ଆକାଶରେ ଘନ ଧୂଆଁ ଉଠୁଥିବାର ଦେଖାଯାଉଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଏବଂ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ତଥାପି କର୍ତ୍ତୃପକ୍ଷଙ୍କ ଦ୍ୱାରା ମୃତ୍ୟୁର ସଠିକ୍ ସଂଖ୍ୟା ନିଶ୍ଚିତ କରାଯାଇ ନାହିଁ ।

ତେବେ ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । 51 ଜଣେ ନିଆଁରେ ଜଳିଯାଇଥିବା ଜଣାପଡ଼ିଛି ।