fbpx

ଲୋକଙ୍କ ଚିନ୍ତା ବଢାଇଛି ନୋରୋଭାଇରସ୍‌, ଜାଣନ୍ତୁ ଏହା କେତେ ଭୟାନକ ଓ କ’ଣ ଏହାର ଲକ୍ଷଣ

Advertisement

ନୂଆଦିଲ୍ଲୀ:ଚୀନ୍‌ରୁ ପୁରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ପରେ ଏବେ ଏକ ନୂଆ ଭାଇରସ୍ ଲୋକଙ୍କୁ ପୁଣି ଚିନ୍ତାରେ ପକାଇ ଦେଇଛି । ଏହି ଭାଇରସ୍‌ର ନାମ ନୋରୋ ଭାଇରସ୍ । ସାଧାରଣ ଭାଷାରେ ଏହାକୁ ୱିଣ୍ଟର ଭୋମିଟିଂ ବଗ୍ ଓ ଷ୍ଟୋମାକ୍ ଫ୍ଲୁ ବି କୁହାଯାଏ । ଏହି ଭାଇରସ୍‌ରେ ପ୍ରଭାବିତ ବ୍ୟକ୍ତି ବାନ୍ତି ଓ ଝାଡା ସମସ୍ୟାରେ ଆକ୍ରାନ୍ତ ହୋଇଥାଏ । ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ସିଡିସି କହିଛି ପେଟରେ ସୃଷ୍ଟି ହେଉଥିବା ଏହି ଭାଇରସ୍ ଯାହାକୁ ନୋରୋଭାଇରସ୍ କୁହାଯାଉଛି ଏହା ଆମେରିକାର ପୂର୍ବୋତ୍ତର କ୍ଷେତ୍ରରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଡିସେମ୍ବର ୨୦୨୩ରୁ ନୋରୋଭାଇରସ୍ ମାମଲା ବଢିବାରେ ଲାଗିଛି ।

ସିଡିସିର କହିବା ଅନୁଯାୟୀ ଏହି ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଏହି ଲକ୍ଷଣ ଦେଖିବାକୁ ମିଳୁଛି । ବାନ୍ତି, ଝାଡା, ପେଟରେ ଯନ୍ତ୍ରଣା ଓ ଖାଦ୍ୟପେୟ ସହ ଜଡିତ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ପ୍ରଭାବିତ କରିପାରେ ଓ ଏହି ଭାଇରସ୍ ବହୁ ସହଜରେ ଓ ଦ୍ରୁତ ଗତିରେ ବ୍ୟାପିଥାଏ । ସଂକ୍ରମଣର ୧୨ରୁ ୪୮ ଘଣ୍ଟା ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଉଛି । ଅଧିକାଂଶ ଲୋକ ୧ରୁ ୩ ଦିନ ମଧ୍ୟରେ ଠିକ୍ ହୋଇଯାଉଥିବା ବି କିଛି ଦିନ ପର୍ଯ୍ୟନ୍ତ ଏହି ସଂକ୍ରମଣ ଶରୀରରେ ରହୁଛି ।

ଏହି ଭାଇରସ୍ ସଂକ୍ରମିତ ବ୍ୟକ୍ତିର ମଳ କିମ୍ବା ବାନ୍ତିରୁ ବ୍ୟାପିଥାଏ । ନୋରୋ ଭାଇରସ୍‌ରେ ସଂକ୍ରମିତ କୌଣସି ବ୍ୟକ୍ତିଙ୍କ ସହ ସିଧା ସଂପର୍କରେ ଆସିବା ଯେପରିକି ତାଙ୍କର ଦେଖାଶୁଣା କରିବା, ଏକାଠି ଖାଇବା, ତାଙ୍କ ବାସନରେ ଖାଇବା କିମ୍ବା ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ବ୍ୟାପିଥାଏ । ତେବେ ଏହି ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ଲାଗି ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦେବା ଉଚିତ । ସାବୁନ ଓ ପାଣିରେ ହାତକୁ ଭଲ ଭାବରେ ଧୋଇବା ଉଚିତ । ଗରମ ପାଣିରେ ପୋଷାକପତ୍ର ଧୁଅନ୍ତୁ । ବାହାର ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ ।

ସିଡିସି ତଥ୍ୟ ଅନୁସାରେ ଆମେରିକାରେ ଏହି ନୋରୋଭାଇରସ୍ ବାର୍ଷିକ ୧୯ରୁ ୨୧ ମିଲିୟନ ରୋଗର କାରଣ ପାଲଟିଥାଏ । ସବୁଠାରୁ ଅଧିକ ସଂକ୍ରମଣ ମାମଲା ନଭେମ୍ବରରୁ ଏପ୍ରିଲ ମଧ୍ୟରେ ସାମ୍ନାକୁ ଆସିଥାଏ । ପ୍ରତିବର୍ଷ ଏହି ଭାଇରସ୍ କାରଣରୁ ପ୍ରାୟ ୧୦୯,୦୦୦ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି ଓ ୯୦୦ଜଣଙ୍କ ମୃତ୍ୟୁ ହୋଇଥାଏ ।

Get real time updates directly on you device, subscribe now.