fbpx

କେବଳ କରମଣ୍ଡଳ ନୁହେଁ, ପୂର୍ବରୁ ଘଟିଛି ଆହୁରି ଅନେକ ରେଳ ଦୁର୍ଘଟଣା: ଦେଖନ୍ତୁ ଟପ୍-୧୦

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଶହ ଶହ ଲୋକଙ୍କୁ ହରାଇ ଆଜି କାନ୍ଦି ଉଠିଛି ଭାରତ । ପ୍ରାୟ ୯୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇପଡିଛି ସମଗ୍ର ଦେଶ । ୧୭ଟି ବଗି ଲାଇନଚ୍ୟୁତ ହୋଇଯିବାରୁ ମୃତ୍ୟୁର ରୂପ ନେଇଛି ଲୌହଦାନବ । ସକାଳ ୫ଟା ସୁଦ୍ଧା ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଥିବା ବେଳେ ଏହି ସଂଖ୍ୟା ଆଗକୁ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ କେବଳ ଆଜିର ଏହି ଘଟଣା ନୁହେଁ, ପୂର୍ବରୁ ମଧ୍ୟ ରାଜ୍ୟରେ ଏମିତି ଅନେକ ବଡ ବଡ ରେଳ ଦୁର୍ଘଟଣା ଘଟିଛି, ଯେଉଁଥିରେ ଶହ ଶହ ଯାତ୍ରୀ ପ୍ରାଣ ହରାଇଛନ୍ତି । ଆସନ୍ତୁ ଜାଣିବା ଏଭଳି କିଛି ଭୟଙ୍କର ଟ୍ରେନ ଦୁର୍ଘଟଣା ବିଷୟରେ:

୧. ଜୁନ୍ ୬, ୧୯୮୧:- ବିହାରର ସହର୍ସା ଜିଲ୍ଲାରେ ଘଟିଥିଲା ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ୯୦୦ରୁ ଅଧିକ ଯାତ୍ରୀଙ୍କୁ ଧରି ବାହାରିଥିବା ଏହି ଟ୍ରେନ୍ ଏକ ବ୍ରିଜ ଉପରେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ବ୍ରିଜ ତଳକୁ ଖସି ବାଗମତୀ ନଦୀ ଭିତରକୁ ଚାଲିଯାଇଥିଲା ଟ୍ରେନ୍ । ତେବେ ଏହି ଦୁର୍ଘଟଣାରେ ଟ୍ରେନରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୩୫ ଜଣ ପ୍ରାଣ ହରାଇଥିଲେ ।

୨. ଅଗଷ୍ଟ ୨୦, ୧୯୯୫:- ପୁରୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ପୁରୁଷୋତ୍ତମ ଏକ୍ସପ୍ରେସ ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଉତ୍ତରପ୍ରଦେଶର ଫିରୋଜାବାଦ ନିକଟରେ ଅଟକିଥିବା କାଳିନ୍ଦୀ ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେବାକୁ ଘଟଣାସ୍ଥଳରେ ୩୫୮ ଜଣ ମୃତ୍ୟୁବରଣ କରିଥିଲେ ।

୩. ନଭେମ୍ବର ୨୬, ୧୯୯୮:- ଅମୃତସର ଖାନ୍ନା ନିକଟରେ ଲାଇନଚ୍ୟୁତ ହୋଇଥିଲା କୋଲକାତାକୁ ଯାଉଥିବା ଜାମ୍ମୁ-ତାୱି ସିଆଲଦା ଏକ୍ସପ୍ରେସ । ଫ୍ରଣ୍ଟିୟର ଗୋଲଡେନ ଟେମ୍ପୁଲ ମେଲର ୬ଟି ବଗିକୁ ଧକ୍କା ଦେଇଥିଲା ଏହି ଟ୍ରେନ୍ । ଫଳରେ ୨୧୨ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା ।

୪. ଅଗଷ୍ଟ ୨, ୧୯୯୯:- ଏହି ଦିନ ଦୁର୍ଘଟଣାର କାରଣ କିଛି ଅଦ୍ଭୁତ ଥିଲା । ଗୋଟିଏ ଟ୍ରାକରେ ଗଡିଥିଲା ଦୁଇଟି ଟ୍ରେନ । ଫଳରେ ଉଭୟ ଗାଡି ଆସାମର ଗାଇସାଳ ନିକଟରେ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଏକ ବଡ ଧରଣ ବିସ୍ଫୋରଣ ହୋଇଥିଲା । ତେବେ ୨୫୦୦ ଯାତ୍ରୀଙ୍କୁ ନେଇ ଗାଡି ଯାଉଥିବା ବେଳେ ଏହି ଦୁର୍ଘଟଣାରେ ୨୯୦ ଜଣ ଅଧା ବାଟରେ ପ୍ରାଣ ହରାଇଥିଲେ ।

୫. ସେପ୍ଟେମ୍ବର ୯, ୨୦୦୨:- ଏହିଦିନ ହାୱଡା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାର ସାମନା କରିଥିଲା । ଗୟା ଏବଂ ଡେହରି-ଅନ୍ ସୋନ ଷ୍ଟେସନ ମଝିରେ ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇ ଧୱା ନଦୀକୁ ଖସି ପଡିଥିଲା ଟ୍ରେନ । ଏହି ଦୁର୍ଘଟଣାରେ ୧୪୦ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

୬. ଅକ୍ଟୋବର ୨୯, ୨୦୦୫:- ଆନ୍ଧ୍ରପ୍ରଦେଶର ଭାଲିଗୋଣ୍ଡା ଷ୍ଟେସନ ନିକଟରେ ବନ୍ୟାରେ ଭାସି ଯାଇଥିବା ଏକ ବ୍ରିଜରେ ଫସି ଯାଇଥିଲା ଡେଲଟା ଫାଷ୍ଟ ପାସେଞ୍ଜର ଟ୍ରେନ । ବନ୍ୟା ପାଣିରେ ବ୍ରିଜଟି ଭାସି ଯାଇଥିବାରୁ ଟ୍ରାକରୁ ଖସି ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ୧୧୪ ଜଣ ମୃତ୍ୟୁବରଣ କରିଛନ୍ତି ।

୭. ୨୮ ମେ’, ୨୦୧୦:- ମୁମ୍ବାଇ ଅଭିମୁଖେ ଯାଉଥିବା ହାୱଡା-କୁର୍ଲା ଲେକମାନ୍ୟ ତିଲକ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟରାର ଶିକାର ହୋଇଥିଲା । ପଶ୍ଚିମ ମେଦିନାପୁରର ଖେମସୁଳି ଓ ସାର୍ଦ୍ଦିଆ ଷ୍ଟେସନ ମଝିରେ ଗାଡିଟି ଲାଇନ ଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନକୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ୧୭୦ ଜଣ ପ୍ରାଣ ହରାଇଥିଲେ ।

୮. ସମାନବର୍ଷ(୨୦୧୦)ରେ ପଶ୍ଚିମବଙ୍ଗର ସାଇନ୍ଥିଆ ନିକଟରେ ଉତ୍ତର ବଙ୍ଗ ଏକ୍ସପ୍ରେସ ଏବଂ ବନାଞ୍ଚଳ ଏକ୍ସପ୍ରେସ ମଧ୍ୟରେ ଧକ୍କା ଲାଗିବାରୁ ୬୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

୯. ମେ’ ୨୨, ୨୦୧୨:- ଆନ୍ଧ୍ରପ୍ରଦେଶର ପେନାକୋଣ୍ଡାଠାରେ ବାଙ୍ଗାଲୋରକୁ ଯାଉଥିବା ହାମ୍ପି ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ୪ଟି ବଗି ଲାଇନଚ୍ୟୁତ ହେବା ସହ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିଲା । ଫଳରେ ୨୪ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

୧୦. ନଭେମ୍ବର ୨୦, ୨୦୧୬:- ଇନ୍ଦୋର-ପାଟନା ଏକ୍ସପ୍ରେସ କାନପୁର ପୁଖରାୟନ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଯିବାରୁ ୧୫୦ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.