OAS-2023 ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ: ବାତ୍ୟା କାରଣରୁ ଅକ୍ଟୋବର ୨୭ରେ ହେବ ନାହିଁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)- ୨୦୨୩ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା ନେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ଉକ୍ତ ପରୀକ୍ଷା ହେବ ନାହିଁ । ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ କାରଣରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ଦିନ ପରେ ଓଏଏସ-୨୦୨୩ ପ୍ରିଲିମ୍ସ ପରୀକ୍ଷା ତାରିଖ ବାବଦରେ ସୂଚନା ଜାରି କରାଯିବ । ପରୀକ୍ଷା ବାବଦରେ ଅପଡେଟ୍ ପାଇବା ପାଇଁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ)-୨୦୨୩ ପାଇଁ ନିକଟରେ ଆଡମିଟ୍ କାର୍ଡ ଜାରି କରିଥିଲା ଓପିଏସସି । ଓପିଏସସି ୱେବସାଇଟକୁ ଯାଇ ଅନେକ ପ୍ରାର୍ଥୀ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ । ତା’ ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷାକୁ ନେଇ ନିକଟରେ ଓପିଏସଏସି ପକ୍ଷରୁ ଟାଇମ୍ ଟେବୁଲ୍ ଜାରି କରାଯାଇଥିଲା । ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ଓ ପ୍ରଥମ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଥିଲା । ସେହିପରି ଦ୍ୱିତୀୟ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ଦ୍ୱିପ୍ରହର ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିବା ସହ ପେପର-୧ରେ ୧୦୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ଓ ପେପର-୨ରେ ୮୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ ବୋଲି କୁହାଯାଇଥିଲା ।