fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶାରେ ଆରମ୍ଭ ହେଲା OBC ସର୍ଭେ: ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସର୍ଭେ । ମେ ମାସ ୧ ତାରିଖରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୨ ତାରିଖରେ ସମାପ୍ତ ହେବ । ରାଜ୍ୟର ପାଖାପାଖି ୫୪ ପ୍ରତିଶତ ଲୋକ ଓବସି ବର୍ଗର ହୋଇଥିବାରୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶାସକ ଦଳ ପାଇଁ ଏକ ମାଷ୍ଟର ଷ୍ଟ୍ରୋକ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା ।

ତେବେ ପ୍ରଥମ ଦିନରେ ରାଜ୍ୟରେ ୨୫ ହଜାର ବଛୁଆ ବର୍ଗ ଏହି ସର୍ଭେରେ ସାମିଲ ହୋଇଥିବା ଜଣାପଡ଼ିଛି । ପ୍ରତ୍ୟେକ ଦିନ ସକାଳ ୧୦-୧୨ ଓ ଅପରାହ୍ଣ ୩-୬ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ । ପ୍ରତ୍ୟେକ ରବିବାର ୧୦-୫ ପର୍ଯ୍ୟନ୍ତ ସର୍ଭେ କରାଯିବା ସହ ଅନ୍ୟ ଛୁଟିଦିନମାନଙ୍କରେ ମଧ୍ୟ କାର୍ଯ୍ୟ ଜାରି ରହିବ । ଜନସାଧାରଣ ସର୍ଭେ କେନ୍ଦ୍ରକୁ ଯାଇ କିମ୍ବା ନିଜର ମୋବାଇଲ, ଡେସ୍କଟପ, ଲାପଟପ ମାଧ୍ୟମରେ ଓଡ଼ିଶା ରାଜ୍ୟ ଓବିସି ପୋର୍ଟାଲାକୁ ଯାଇ ବିନା ଶୁଳ୍କରେ ନିଜ ନିଜର ଡାଟା ସବମିଟ୍ କରିପାରିବେ ।

ସର୍ଭେ କେନ୍ଦ୍ରକୁ ଯିବା ସମୟରେ ଜନସାଧାରଣଙ୍କୁ ରାଶନ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାନ କାର୍ଡ, ପାସପୋର୍ଟ ମଧ୍ୟରୁ ଯେ କୌଣସି ପରିଚୟ ପତ୍ର ନେବାକୁ ପଡ଼ିବ । ଯାହାର ପରିଚୟ ପତ୍ର ବା ରାଶନ କାର୍ଡ ନଥିବ ସେ ମଧ୍ୟ ତଥ୍ୟ ପ୍ରଦାନ କରିପାରିବେ । ରାଜଧାନୀ ଭୁବନେଶ୍ୱରରେ ୭୦ଟି ସ୍କୁଲରେ ୧୦୧ଟି ସେଣ୍ଟରରେ ଏହି ସର୍ଭେ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୩୧୪ଟି ବ୍ଲକ ଓ ୧୧୪ଟି ନଗର ନିଗମରେ ଏହି ସର୍ଭେ ଚାଲିଛି । ଗାଁ ଓ ସହରମାନଙ୍କରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ, ଅନ୍ୟ ସରକାରୀ ଅଧିକାରୀ ଓ ପ୍ରାଥମିକ ଶିକ୍ଷକଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ-୧୯ ମହାମାରୀ କାରଣରୁ ଗତ ୨୦୨୧ ମସିହା ମେ ମାସରୁ ଏହି ସର୍ଭେ କାର୍ଯ୍ୟ ସ୍ଥଗିତ ରହିଥିଲା । ତେଣୁ ପୁଣି ଥରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି ସର୍ଭେ ମାଧ୍ୟମରେ ଓବିସି ବର୍ଗର ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ବିଷୟରେ ଅନୁଧ୍ୟାନ କରାଯିବ । ଏଥିପାଇଁ ବିଭିନ୍ନ ଗାଇଡଲାଇନ୍ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ରାଜ୍ୟ ପଛୁଆ ବର୍ଗ କମିଶନ ସଦସ୍ୟ ସଚିବ ଚିଠି ଲେଖିଥିଲେ ।ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ମହାନଗରଗୁଡ଼ିକରେ କମିଶନର ଦାୟିତ୍ୱ ବହନ କରୁଛନ୍ତି । ପୂର୍ବରୁ ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ରମାନଙ୍କରେ ସର୍ଭେ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ପ୍ରତି କେନ୍ଦ୍ରରେ ୨-୫ ଜଣ ଗଣନାରୀ ରହିଛନ୍ତି । ପ୍ରତି କେନ୍ଦ୍ରରେ ବିଦ୍ୟୁତ ଓ ଇଣ୍ଟରନେଟ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.