fbpx
BJD SKY
BJD SKY

ଆସନ୍ତା ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ: ଜାଣନ୍ତୁ ସମସ୍ତ ନିୟମ ଓ ପ୍ରକ୍ରିୟା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ (ଓବିସି) ସର୍ଭେ । ଏହି ସର୍ଭେ ମେ ମାସ ୧ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ସମାପ୍ତ ହେବ । ତା’ପରେ ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ କରାଯିବ । ଉଭୟ ଅନଲାଇନ୍ ଓ ଅଫଲାଇନ ଜରିଆରେ ଏହି ସର୍ଭେ କରାଯିବ । ରାଜ୍ୟରେ ପ।।ଖାପାଖି ୫୪ ପ୍ରତିଶତ ଲୋକ ଓବିସି ବର୍ଗର ହୋଇଥିବା ବେଳେ ଏହି ସର୍ଭେ ଆସନ୍ତା ଜୁଲାଇ ୧୨ ତାରିଖ ସୁଦ୍ଧା ଶେଷ କରାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା ।

ଏହି ସର୍ଭେ କାର୍ଯ୍ୟ ପାଇଁ ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦାଖଲ କରି ଆବେଦନ କରିହେବ । ଅଫଲାଇନ ସର୍ଭେ ପାଇଁ ଗାଁର ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଘରେ ଏନୁମରେଟର ସେଣ୍ଟର ଖୋଲିବ । ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକମାନେ ଏନୁମରେଟର ଭାବେ ନିୟୋଜିତ ହେବେ । ଏଥିସହିତ ଆଇସିଡିଏସ ସୁପରଭାଇଜର ଓ ବ୍ଲକ ସ୍ତରୀୟ ଏକ୍ସଟେନସନ ଅଫିସରଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବ । ରେଜିଷ୍ଟ୍ରେସନ ପାଇଁ ଲୋକମାନେ ନିଜର ଭୋଟର କାର୍ଡ, ଆଧାର କାର୍ଡ, ପାନ କାର୍ଡ ପାସପୋର୍ଟ ଦେଖାଇ ପାରିବେ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ସେଣ୍ଟର ଖୋଲା ରହିବ । ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ସର୍ଭେ କରାଯିବ ।

ଏହି ସର୍ଭେରେ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ରାଜ୍ୟରେ ଏବେ ଅନୁସୂଚିତ ଜାତି (ଏସସି)ଙ୍କୁ ୨୨.୫, ଅନୁସୂଚିତ ଜନଜାତି (ଏସଟି)ଙ୍କୁ ୧୬.୨୫ ଓ ପଛୁଆବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଛି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ପାରୁନାହାନ୍ତି । ଓବିସି ବର୍ଗର ଜନସଂଖ୍ୟା ଅନୁପାତରେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଥିବାରୁ ଏହାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚାହୁଁଛନ୍ତି ।

ଓବିସି ବର୍ଗଙ୍କୁ କମ୍ ସଂରକ୍ଷଣ ମିଳୁଥିବାରୁ ସେମାନେ ଚାକିରି ସହ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେଣୁ ୨୦୨୧ ଜନଗଣନାରେ ପଛୁଆ ବର୍ଗଙ୍କୁ ସାମିଲ କରିବାକୁ ରାଜ୍ୟ କ୍ୟାବିନେଟ ସଂକଳ୍ପ ପାରିତ କରିଥିଲା । କେନ୍ଦ୍ର ସରକାର ମଧ୍ୟ ଏନେଇ ରାଜ୍ୟକୁ ଅନୁରୋଧ କରିଥିଲେ । ୨୦୨୧ ଜନଗଣନା ବର୍ତ୍ତମାନ ହୋଇନଥିବା ବେଳେ ଗତ ୨୦୨୧ ଫେବୃଆରୀରେ ରାଜ୍ୟ ଓବିସି କମିଶନକୁ ରାଜ୍ୟ ସରକାର ସର୍ଭେ ପାଇଁ ଅନୁମତି ଦେଇଥିଲେ । ମାତ୍ର କୋଭିଡ-୧୯ ମହାମାରୀ କାରଣରୁ ଗତ ୨୦୨୧ ମସିହା ମେ ମାସରୁ ଏହି ସର୍ଭେ କାର୍ଯ୍ୟ ସ୍ଥଗିତ ରହିଥିଲା । ତେଣୁ ପୁଣି ଥରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଚଳିତ ମାସ ପହିଲାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ରାଜ୍ୟ ପଛୁଆ ବର୍ଗ କମିଶନ ସଦସ୍ୟ ସଚିବ ଚିଠି ଲେଖିଥିଲେ । ଏହି ସର୍ଭେରେ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ, ୧୧୪ଟି ପୌରାଞ୍ଚଳର ପଛୁଆ ବର୍ଗର ଲୋକଙ୍କ ସ୍ଥିତି ଉପରେ ଅନୁଧ୍ୟାନ କରାଯିବ । ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ମହାନଗରଗୁଡ଼ିକରେ କମିଶନର ଦାୟିତ୍ୱ ବହନ କରିବେ ।

Get real time updates directly on you device, subscribe now.