fbpx

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ: ଆସନ୍ତା ବର୍ଷଠାରୁ JNUରେ ଆରମ୍ଭ ହେବ ଓଡ଼ିଆ ପାଠ୍ୟକ୍ରମ!

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ବାହାରର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ରହିଥାଏ । ତେବେ ଏବେ ସେହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷର ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଭାରତୀୟ ଭାଷାରେ ପାଠପଢ଼ା ଆରମ୍ଭ ହେବ ।

ତେବେ ଆସନ୍ତା ଶିକ୍ଷା ବର୍ଷରୁ ଭାରତୀୟ ଭାଷା ସହିତ ବିଦେଶୀ ଭାଷାରେ ମଧ୍ୟ ପାଠପଢ଼ା ଆରମ୍ଭ ହେବ । ଏଥିପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭାରତୀୟ ଭାଷା ପାଇଁ ସ୍ପେଶାଲ ସେଣ୍ଟର ସ୍ଥାପନ କରାଯିବ । ଏହି ସେଣ୍ଟରରେ ତାମିଲ ଚେୟାର ପ୍ରତିଷ୍ଠା କରିବା ପାଇଁ ସହମତି ପ୍ରଦାନ ନେଇ ତାମିଲନାଡ଼ୁ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିଥିବା ଜେଏନୟୁର ପୂର୍ବ ଛାତ୍ରୀ ତଥା ପ୍ରଥମ ମହିଳା କୁଳପତି ପ୍ରଫେସର ଶାନ୍ତିଶ୍ରୀ ଡି ପଣ୍ଡିତ କହିଛନ୍ତି ।

ଏଥିସହିତ ଓଡ଼ିଶା, ମହାରାଷ୍ଟ୍ର, ଆସାମ, କର୍ଣ୍ଣାଟକ, ପୁଡ଼ୁଚେରୀ ସରକାରଙ୍କ ମଧ୍ୟ ଚେୟାର ସ୍ଥାପନ ନେଇ ଇଚ୍ଛୁକ ରହିଛନ୍ତି । ନିଜ କାର୍ଯ୍ୟକାଳରେ ଚାରୋଟି ମାଧ୍ୟମରୁ ୫୦୦ କୋଟି ଟଙ୍କା ସଂଗ୍ରହ କରିବା ନେଇ କୁଳପତି ଲକ୍ଷ୍ୟ ରଖିଛନ୍ତି । ଫଣ୍ଡ ବୃଦ୍ଧି ଓ ସୋସାଇଟିକୁ ମଜବୁତ କରିବା ପାଇଁ ଆସନ୍ତା ଶିକ୍ଷାବର୍ଷଠାରୁ ଜେଏନୟୁରେ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବ । ଏହା ଅନୁଯାୟୀ ବିଭିନ୍ନ କୋର୍ସରେ ଅନଲାଇନ ସାର୍ଟିଫିକେଟ ଓ ଡିପ୍ଲୋମା କୋର୍ସ ମଧ୍ୟ ଆରମ୍ଭ ହେବ । ଏଥିପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ସରିଛି ।

Get real time updates directly on you device, subscribe now.