fbpx

ହିମେଶ ରେଶମିୟାଙ୍କ ଆଲବମ୍ ‘ତେରେ ମେରେ ନାତା’ରେ ସୁଯୋଗ ପାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ଜଣେ ଓଡ଼ିଆ ଝିଅ । ବଲିଉଡରେ ନିଜର ପ୍ରତିଭାକୁ ପ୍ରତିପାଦିତ କରିଛନ୍ତି ଓଡ଼ିଆ ଗୀତିକାର ରଚନା ମିଶ୍ର । ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟାଙ୍କ ସହିତ କାମ କରିବାର ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି ରଚନା । ହିମେଶଙ୍କ ୟୁଟ୍ୟୁବ ଚାନେଲରେ ମୁକ୍ତିଲାଭ କରିଥିବା ଆବଲମରେ ଗୀତ ଲେଖିବା ପାଇଁ ସୁଯୋଗ ପାଇବା ନିହାତି ପକ୍ଷେ ଏକ ବଡ଼ ସଫଳତା ।

ଗତ ୨୧ ତାରିଖରେ ହିମେଶଙ୍କ ୟୁଟ୍ୟୁବ ଚାଟେଲରେ ‘ତେରେ ମେରେ ନାତା’ ଆଲବମ୍ ମୁକ୍ତିଲାଭ କରିଥିଲା । ନୂଆ ନୂଆ ପ୍ରତିଭାଙ୍କୁ ନିଜର ଆଲବମରେ ସୁଯୋଗ ଦେଇ ହିମେଶ ସେମାନଙ୍କୁ ଆଗକୁ ଆଣିବାକୁ ପ୍ରୋତ୍ସାହିତ କରିଥାନ୍ତି । ଏହି ଗୀତଟି ଶୁଣିବାକୁ ବେଶ୍ ସୁମଧୁର ଲାଗୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବରେ ଏହାକୁ ୨.୨୫ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି । ଗୀତଟି ସମସ୍ତଙ୍କ ହୃଦୟକୁ ଛୁଇଁଯାଉଥିବାରୁ ଆଗକୁ ଏହି ଗୀତର ଭ୍ୟୁଜ୍ ଆହୁରି ବୃଦ୍ଧି ପାଇବ । ଗାୟିକା ନିଲଞ୍ଜନା ଏହି ଗୀତରେ କଣ୍ଠଦାନ କରିଥିବା ବେଳେ ହିମେଶ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ।

ପୂର୍ବରୁ ରଚନାଙ୍କର ଦୁଇଟି ହିନ୍ଦି ରୋମାଣ୍ଟିକ ଆଲବମ୍ ଗୀତ ରିଲିଜ୍ ହୋଇଥିଲା । ପିତାଙ୍କ ପ୍ରେରଣା ପାଇ ରଚନା ଗୀତ ଲେଖିବା ଆରମ୍ଭ କରିଥିଲେ । ରଚନାଙ୍କର ସଂଗୀତ ପ୍ରତି ଆଗ୍ରହ ଦେଖି ତାଙ୍କର ସ୍ୱାମୀ ମଧ୍ୟ ତାଙ୍କୁ ବହୁତ ପ୍ରୋତ୍ସିହିତ କରିଥିଲେ । ଫଳରେ ଆଗକୁ ବଢ଼ିବା ସହିତ ‘ଖୁଦା’ ଓ ‘ଲଫଜ୍ ଲଫଜ୍’ ପରି ଦୁଇଟି ହିନ୍ଦି ଆଲବମ ପାଇଁ ରଚନା ଗୀତ ଲେଖିଥିଲେ । ରଚନାଙ୍କ ଲିରିକ୍ସକୁ ବର୍ତ୍ତମାନର ଯୁବପୀଢ଼ି ବେଶ୍ ପସନ୍ଦ କରୁଥିବା ଦେଖାଯାଉଛି । ନିରନ୍ତର ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ମିଳିବ ବୋଲି ରଚନା କହିଛନ୍ତି । ଆଗାମୀ ଦିନରେ ରଚନା ଆହୁରି ଅନେକ ସମୁଧୁର ଗୀତ ରଚନା କରି ଦର୍ଶକଙ୍କୁ ବାନ୍ଧି ରଖିବେ । ରଚନା ଜୀବନରେ ଅନେକ ସଫଳତା ଅର୍ଜନ କରି ରାଜ୍ୟର ଗୌରବ ବୃଦ୍ଧି କରନ୍ତୁ ଏହା ଆମ ସମସ୍ତଙ୍କର କାମନା ।

Get real time updates directly on you device, subscribe now.