କହି କହି ରାଜ୍ୟ ଥକି ପଡ଼ିଲେଣି କଂଗ୍ରେସ ନେତା, ୬ ମାସ ହେବ ଓଡ଼ିଶାରେ ପିସିସି ସଭାପତି ନାହାନ୍ତି

ଗତ ନିର୍ବାଚନରେ ଅମାନତ ହରାଇ ଇସ୍ତଫା ଦେଇଛନ୍ତି ପୂର୍ବତନ ସଭାପତି ଶରତ ପଟ୍ଟନାୟକ। ଏହାପରେ ବିଗତ ୬ମାସ ହେବ ଓଡ଼ିଶାରେ ପିସିସି ସଭାପତି ନାହାନ୍ତି।

ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନ ପରେ ନେତା ବିହୀନ ହୋଇପଡିଛି କଂଗ୍ରେସ। ନିର୍ବାଚନରେ ଅମାନତ ହରାଇ ଇସ୍ତଫା ଦେଇଛନ୍ତି ପୂର୍ବତନ ସଭାପତି ଶରତ ପଟ୍ଟନାୟକ। ଏହାପରେ ବିଗତ ୬ମାସ ହେବ ଓଡ଼ିଶାରେ ପିସିସି ସଭାପତି ନାହାନ୍ତି। ରାଜ୍ୟରେ କୌଣସି ସଂଗଠନ ନାହିଁ। ତେଣୁ ତୁରନ୍ତ ପିସିସି ସଭାପତି ଘୋଷଣା କରିବା ପାଇଁ ରାଜ୍ୟ କଂଗ୍ରେସ ନେତୃବର୍ଗ ଏଆଇସିସି ନିକଟରେ ଦାବି ଜଣାଉଛନ୍ତି। ନିଜର କର୍ମୀଙ୍କୁ ଶାନ୍ତ କରିବା ଲାଗି ଏ ମାସରେ ହେବ, ସେ ମାସରେ ସବୁକିଛି ଚୂଡ଼ାନ୍ତ ହେବ ବୋଲି କହି କହି ରାଜ୍ୟ ନେତା ଥକି ପଡ଼ିଲେଣି। ହେଲେ ଏଆଇସିସି ପକ୍ଷରୁ କୌଣସି ସୂଚନା ଆସୁନାହିଁ।

ତେବେ ଚଳିତମାସ ଶେଷ ସୁଦ୍ଧା ଓଡ଼ିଶା ପିସିସି ସଭାପତି ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଓଡ଼ିଶାରେ ପିସିସି ସଭାପତିକୁ ନେଇ ଏଆଇସିସି ପ୍ରାଥମିକତାର ସହ ବିଚାର କରୁଛି। ତେବେ କିଛି ମାମଲାରେ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତ ନିଆଯିବା ଚଳିତ ମାସ ଶେଷସୁଦ୍ଧା ସବୁକିଛି ସ୍ପଷ୍ଟ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ଅପରପକ୍ଷରେ କଂଗ୍ରେସ ମହଲରେ ହେଉଥିବା ଆଲୋଚନା ଅନୁସାରେ, ଯଦି ଏଆଇସିସି ଚଳିତ ମାସରେ ନୂଆ ପିସିସି ସଭାପତି ଘୋଷଣା ନ କରନ୍ତି, ତାହାଲେ ଦିଲ୍ଲୀ ନିର୍ବାଚନ ପର୍ଯ୍ୟନ୍ତ ତାହା ଘୁଞ୍ଚି ଯାଇପାରେ। ମାତ୍ର ସଭାପତି ଘୋଷଣା ଯେତିକି ବିଳମ୍ବ ଓଡ଼ିଶାରେ କଂଗ୍ରେସ ସ୍ଥିତି ଆହୁରି ରସାତଳଗାମୀ ହେବ। ପୂର୍ବରୁ ଓଡ଼ିଶାରେ କଂଗ୍ରେସରେ ଗ୍ରେସରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା। ଦଳୀୟ ସଂଗଠନ ନ ଥିବାରୁ କର୍ମୀମାନେ ହତାଶ ହୋଇ ପଡ଼ିଲେଣି ତେଣୁ ଏଆଇସି ଯଥାଶୀଘ୍ର ଏ ସଂପର୍କରେ ନିଷ୍ପତ୍ତ ନେବାର ଆବଶ୍ୟକ‌ତା ରହିଛି ବୋଲି କିଛି ବରିଷ୍ଠ ନେତା କହିଛନ୍ତି।

ଉଲ୍ଲେଖ ଯେ ଗତବର୍ଷ ଜୁଲାଇ ୨୧ତାରିଖରେ ଓଡ଼ିଶା କଂଗ୍ରେସର ସବୁ କମିଟିକୁ ଏଆଇସିସି ଭାଙ୍ଗି ଦେଇଥିଲା। ଓଡ଼ିଶା କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପକ୍ଷରୁ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରରଦାସ ମହନ୍ତି ଓ ମୀନାକ୍ଷୀ ନଟରାଜନଙ୍କୁ ଓଡ଼ିଶା ପଠାଇଥିଲା। ଏଆଇସିସି ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି। ତେବେ ନୂଆ ପିସିସି ସଭାପତି ଘୋଷଣା ପୂର୍ବରୁ ପ୍ରଥମେ ନୂଆ ପ୍ରଭାରୀ ନିଯୁକ୍ତି ଦିଆଯିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ଏ ଦୃଷ୍ଟିରୁ ଓଡ଼ିଶା ଦାୟିତ୍ବରେ ଥିବା ପ୍ରଭାରୀ ଅଜୟ କୁମାରଙ୍କୁ ଏଆଇସିସି ନିଜ ଦାୟିତ୍ବରୁ ହଟାଇ ଦେଇପାରେ ବୋଲି ଆଲୋଚନା ହେଉଛି।