fbpx

Thank You Odisha: ବିପଦ ବେଳେ ଧୈର୍ଯ୍ୟର ସହ ସଂଗ୍ରାମ କଲେ ବିଜୟ ସୁନିଶ୍ଚିତ, ଦୁନିଆକୁ ନୂଆ ଶିକ୍ଷା ଦେଲା ଓଡ଼ିଶା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଇଛି । ପ୍ରଶାସନ ପକ୍ଷରୁ ପୀଡ଼ିତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯିବା ସହିତ ମୃତଦେହ ଚିହ୍ନଟ ଜାରି ରହିଛି । ତେବେ କାହିଁକି ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା, ଏହା ପଛରେ କାହାର ହାତ ରହିଛି ସେନେଇ ଆଜି ସିବିଆଇ ଟିମ୍ ବାଲେଶ୍ୱରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଦୁର୍ଘଟଣାରେ ମୃତକଙ୍କ ଜୀବନ ଆଉ ଫେରିବା ସମ୍ଭବ ନୁହେଁ । ମାତ୍ର ଯେଉଁମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାରେ କରାଯାଇଥିଲା, ସେମାନଙ୍କ ଜୀବନ ବଞ୍ଚାଇବାକୁ ଏକ ହୋଇଥଲା ସାରା ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତିରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବା ସହିତ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ପରିଚାଳନା ଦାୟିତ୍ୱ ଦେଇଥିଲେ । ଦୁର୍ଘଟଣାସ୍ଥଳରେ ରେସକୁ ଟିମ୍ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଜନତା ଶହ ଶହ ଲୋକଙ୍କୁ ଉଦ୍ଧାର କରିଥିଲେ । ଏପରିକି ରାତି ୧୧ଟାରେ ଲୋକମାନେ ପୀଡ଼ିତଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ପାଇଁ ହସ୍ପିଟାଲରେ ଭିଡ଼ ଜମାଇଥିଲେ ।

ଓଡ଼ିଶାର ସ୍ଥାନୀୟ ଜନତା, ସ୍ୱେଚ୍ଛାସେବୀ, ପ୍ରଶାସନିକ ଅଧିକାରୀ, ମେଡିକାଲ ଟିମ୍ ଏକ ହୋଇ ଯେଉଁ ସଂଗ୍ରାମ କରିଥିଲେ ସେଥିପାଇଁ ଆଜି ଓଡ଼ିଶାକୁ ବିଶ୍ୱର କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଓଡ଼ିଶାର ଏହି ମହତ୍ କାର୍ଯ୍ୟ ପାଇଁ ବାଃବାଃ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି । ସେହିପରି ପ୍ରସିଦ୍ଧ ଲୋକ ଗାୟିକା ମୌଥିଲି ଠାକୁର ଓଡ଼ିଶା ବାସୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ରାଜ୍ୟର ଲୋକଙ୍କଠାରେ ମାନବିକତା ଜୀବିତ ରହିଥିବା ସେ କହିବା ସହିତ ‘ଥାଙ୍କ ୟୁ ଓଡ଼ିଶା’ କହିବାକୁ ଭୁଲି ନାହାନ୍ତି ।

ଗଣେଶ ନାମକ ଜଣେ ସ୍ଥାନୀୟ ଯୁବକ ଦୁର୍ଘଟଣା ପରେ ୩୦୦ ଲୋକଙ୍କୁ ଉଦ୍ଧାର କରିଥିଲେ । ସେହିପରି ଜଣେ ସେନା କର୍ମଚାରୀ ତାଙ୍କର ବନ୍ଧୁଙ୍କ ସହିତ ମିଶି ୮୮ ଜଣ ଯାତ୍ରୀଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ । ବିନା ଲାଇଟରେ ଲୋକମାନେ ଯେଉଁଭଳି ଭାବେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ତାହାକୁ ପ୍ରଶଂସା କରିବା ପାଇଁ ଶବ୍ଦ ହିଁ ନାହିଁ । ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟକୁ ସଠିକ ପରିଚାଳନା କରି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ବାହାନଗା ଟ୍ରେନ ଦୁର୍ଘଟଣାରେ ଓଡ଼ିଶାବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଆଜି ବହୁ ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଛି । ତେଣୁ ବିଭିନ୍ନ ରାଜ୍ୟବାସୀ ଏବେ ଓଡ଼ିଶାବାସୀଙ୍କ ପ୍ରତି ଚିର ଋଣୀ ହୋଇଯାଇଛନ୍ତି ବୋଲି ଅନ୍ତରରୁ କହୁଛନ୍ତି । ବିପଦ ସମୟରେ ଧୈର୍ଯ୍ୟ ନ ହରାଇ ଏକ ହୋଇ ସଂଗ୍ରାମ କଲେ ବିଜୟ ସୁନିଶ୍ଚିତ ବୋଲି ଓଡ଼ିଶା ସାରା ବିଶ୍ୱକୁ ଶିକ୍ଷା ଦେଇଛି ।

Get real time updates directly on you device, subscribe now.