ମୋହନ ସରକାର ଦେଲେ ଖୁସି ଖବର, ୫ ବର୍ଷରେ ପୂରଣ ହେବ ଦେଢ଼ଲକ୍ଷ ପଦବୀ

ଭୁବନେଶ୍ବର: ଓଡିଶାରେ କିଛି ମାତ୍ରାରେ ହଟିବ ଗରିବି ସମସ୍ୟା । ଆସନ୍ତା 5 ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବା ନେଇ ଲକ୍ଷ୍ୟ ରଖାଯାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି । ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି ମୂଳପଦବୀ ଖାଲି ପଡ଼ିଛି । ତେବେ ଏହି ସବୁ ପଦବୀ ଭର୍ତ୍ତି କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ରାଜ୍ୟ ସରକାର । ଏହି ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ନିଯୁକ୍ତି ଆୟୋଗଗୁଡ଼ିକୁ ପ୍ରସ୍ତାବ ପଠାଇବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୩ଟି ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହ କରିଥିଲେ ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଅଭୟ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଲଳିତ ଦାସଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିବା ବେଳେ ଖାଲିପଡିଥିବା ବିଭିନ୍ନ ପଦବୀ ପୂରଣ କରିବା ପାଇଁ ଆଲୋଚନା ହୋଇଛି ।