fbpx

H3N2 ବଢାଇଲା ଓଡିଶା ସରକାରଙ୍କ ଚିନ୍ତା: ୨ ମାସରେ ୫୯ ଲୋକ ସଂକ୍ରମିତ, ଚେତାବନୀ ଜାରି

ଭୁବନେଶ୍ୱର: ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ ୨ ମାସରେ ଓଡିଶାର ୨୨୫ ନମୁନା ମଧ୍ୟରୁ ପ୍ରାୟ ୫୯ ଜଣ H3N2 ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର(RMRC)ର ନିର୍ଦ୍ଦେଶକ ଡ. ସଂଘମିତ୍ରା ପତି ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଭାଇରସରେ ସାଧାରଣତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଇଥାଏ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ରବିବାର ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାସହିତ ସ୍ୱାସ୍ଥ୍ୟ ସୁବିଧା ଏବଂ ସାମୁଦାୟିକ ସ୍ତରରେ  ଇନଫ୍ଲୁଏଞ୍ଜା ପରି ରୋଗ ଓ ଶ୍ୱାସକ୍ରିୟା ସଂକ୍ରମଣ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି H1N1 ଏବଂ H3N2 ଇନଫ୍ଲୁଏଞ୍ଜା ‘ଏ’ ଭାଇରସର ସବ୍ ଭାରିଆଣ୍ଟ ବୋଲି କହିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ । ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ସାମାନ୍ୟ ଫ୍ଲୁ’ ପିଲାଠୁ ବୟସ୍କ ସମସ୍ତଙ୍କ ଦେହରେ ସାଧାରଣ ଭାବରେ ଦେଖାଯାଇଥାଏ । ଅଧିକାଂଶ ରୋଗ ସମାନ୍ୟ ଏବଂ ଆତ୍ମ ସୀମିତ ହୋଇଥିବା ବେଳେ ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଜନଗହଳିପୂର୍ଣ୍ଣ ଇଲାକାରୁ ଦୂରେଇ ରହିବା ଏହାର ପ୍ରମୁଖ  ଅସ୍ତ୍ର ହୋଇପାରେ ।

ସ୍ୱାସ୍ଥ୍ୟ ବିଭାଗର ୩୦ଟି DPHLs ଏହାର ୨୩ଟି RTPCR ଲାବୋରେଟୋରୀ ଏବଂ DPHL ରେ ନିୟମିତ ଭାବରେ ନମୁନାର ପରୀକ୍ଷଣ କରିବା ସହ ILI ଏବଂ SARI ମାମଲାଗୁଡିକ ଉପରେ ନଜର ରଖିଛି । ଏହାର ୩୦ଟି DPHL ନିୟମିତ ଅଧାରରେ H1N1 ପରୀକ୍ଷଣ କରୁଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଯଦି ନିକଟ ଭବିଷ୍ୟତରେ ଏହି ସଂକ୍ରମଣ ଆହୁରି ବୃଦ୍ଧି ହୁଏ, ଏହାର ପରୀକ୍ଷଣ ପାଇଁ ପ୍ରତ୍ୟେକଙ୍କ ପାଖରେ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଲାବୋରେଟୋରୀ ଲଜିଷ୍ଟିକ୍ସ ଉପଲବ୍ଧ ରହିବ । ତେବେ ଏହି ଭାଇରସରେ କର୍ଣ୍ଣାଟକ ଏବଂ ହରିୟାଣା ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ତେବେ ଜିଲ୍ଲା ପ୍ରଶାସନକୁ ସତର୍କ ନିର୍ଦ୍ଦେଶ ଦେବା ସହ ଜନସାଧାରଣଙ୍କୁ ମଧ୍ୟ ସଚେତନ କରାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Get real time updates directly on you device, subscribe now.