ଗରିବ ତାଲିକାରେ ୯ମ ସ୍ଥାନରେ ଓଡ଼ିଶା, ରାଜ୍ୟରେ ତିନି ଜଣରେ ରହିଛନ୍ତି ଜଣେ ଗରିବ

ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ସରକାର କରୁଛନ୍ତି ମାଳମାଳ ଯୋଜନା ଏବଂ ହେଲେ ଏସବୁର ମିଳୁଛି କି ଫାଇଦା? କାରଣ ଆର୍ଥିକ ମାନଦଣ୍ଡ ବଢ଼ିବା ପରିବର୍ତ୍ତେ ତଳିତଳାନ୍ତ ହେଉଛନ୍ତି ରାଜ୍ୟବାସୀ । ଶୁକ୍ରବାର ପ୍ରକାଶ ପାଇଥିବା ନୀତି ଆୟୋଗ ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରେ ସାମ୍ନାକୁ ଆସିଛି ଓଡ଼ିଶାରେ ଲୋକଙ୍କ ଆର୍ଥିକ ସ୍ଥିତିର ବିକଳ ଚିତ୍ର ।

ନୀତି ଆୟାଗ  ୨୦୨୧ ପାଇଁ ଭାରତର ସମସ୍ତ ରାଜ୍ୟର ଅର୍ଥନୀତି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ରାଜ୍ୟ ଦରିଦ୍ର ତାଲିକାରେ ୯ମ ସ୍ଥାନରେ ଥିବା ବେଳେ ଏଠାରେ ପ୍ରତି ତିନି ଜଣରେ ଜଣେ ଗରିବ ରହିଛନ୍ତି । ନିତି ଆୟୋଗ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ତିିନି ପଛୁଆ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ସ୍ଥିତି ଅଧିକ ଖରାପ ରହିଛି । ନୂଆ ମାନଦଣ୍ଡ ଅନୁଯାୟୀ ଏବେ ଦେଶରେ ପ୍ରତି ଚାରି ଜଣରେ ଜଣେ ଅର୍ଥାତ୍ ୨୫.୦୧ ପ୍ରତିଶତ ଗରିବ ଅଛନ୍ତି ।

ପୂର୍ବ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାର ଦାରିଦ୍ର୍ୟ ହାର ୩୨. ୫୯ ପ୍ରତିଶତ ଥିଲା । ସେତେବେଳେ ୧୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଥିଲା । ଏବେ ପ୍ରକାଶ ପାଇଥିବା ରିପୋର୍ଟରେ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦାରିଦ୍ର୍ୟ ହାରରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ  । ଦେଶରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ୦.୧୧୮ ରହିଛି । ଓଡ଼ିଶା କ୍ଷେତ୍ରରେ ଏହା ୦.୧୩୬ । ଏହି ସୂଚୀ ରାଜ୍ୟର ମୋଟ୍ ଗରିବ ଲୋକଙ୍କ ସଂଖ୍ୟା ଏବଂ ଗରିବଙ୍କ ମାତ୍ରାକୁ ନେଇ ପ୍ରସ୍ତୁତ କରାଯାଇଛି । ଜାତୀୟସ୍ତରରେ ସହରାଞ୍ଚଳର ସ୍ଥିତି ତୁଳନାରେ ଓଡ଼ିଶାରେ ସହରାଞ୍ଚଳ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି ।  ୨୦୧୫-୧୬ ରେ କରାଯାଇଥିବା ୪ର୍ଥ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଧାରିତ ‘ନୀତି ଆୟୋଗ’ର ଏହି ରିପୋର୍ଟରେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କର ପ୍ରଥମ ସ୍ଥାନରେ ରହିଛି ବିହାର ।

ସେହିଭଳି ଦ୍ବିତୀୟ ସ୍ଥାନରେ ଝାଡ଼ଖଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ବିହାରରେ ୫୧.୯୧% ଜନତା ଦାରିଦ୍ର୍ୟ ପ୍ରପୀଡ଼ିତ ଥିବାବେଳେ ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶରେ ଯଥାକ୍ରମେ ୪୨.୧୬% ଏବଂ ୩୭.୭୯% ଜନତା ଦାରିଦ୍ର୍ୟ କବଳିତ ହୋଇଛନ୍ତି ।