fbpx

IAS କ୍ୟାଡର ନିୟମ ସଂଶୋଧନକୁ ବିରୋଧ କଲା ଓଡ଼ିଶା, ମନୋମୁଖୀ ନା ସୁଶାସନ ଚାହୁଁଛି କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କର ଆଇଏଏସ କ୍ୟାଡର ନିୟମ ସଂଶୋଧନକୁ ବିରୋଧ କରିଛି ଓଡ଼ିଶା । ବିଜେଡି ସାଂସଦ ଅମର ପଟ୍ଟନାୟକ ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଧିକାରୀମାନଙ୍କୁ କେନ୍ଦ୍ରକୁ ଡେପୁଟେସନରେ ପଠାଇବା ନେଇ ସେମାନଙ୍କର ସମ୍ମତି ଜରୁରୀ । ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯିବା ଅନୁଚିତ୍ । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସେ କହିଛନ୍ତି । ଆଇଏଏସ କ୍ୟାଡର ନିୟମ-୧୯୫୪ର ୬(୧)କୁ ସଂଶୋଧନ କରିବାକୁ ନିମନ୍ତେ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଯଦି ଏହି ନିୟମ ମଞ୍ଜୁରୀ ଲାଭ କରେ, ତେବେ ପରବର୍ତ୍ତୀ ସମୟରେ ରାଜ୍ୟମାନଙ୍କର ବିନା ଅନୁମତିରେ କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ ଡେପୁଟେସନରେ ନେଇପାରିବେ ।

ଏହି ନିୟମକୁ ପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, କେରଳ ତାମିଲନାଡ଼ୁ ପରି ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ବିରୋଧ କରିଛନ୍ତି । ଏହି ନିୟମ ସଂଶୋଧନ ହେଲେ ଆଇଏଏସ ଅଧିକାରୀଙ୍କ ଉପରେ କେନ୍ଦ୍ରର ନିୟନ୍ତ୍ରଣ ଆସିଯିବ । ଫଳରେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ସ୍ୱେଚ୍ଛାଚାରିତ ବୃଦ୍ଧି ପାଇବ । ଆଗକୁ କେନ୍ଦ୍ର ଓ ରାଜ୍ୟକୁ ନେଇ ବଡ଼ ଧରଣର ବିବାଦର ମଧ୍ୟ ସୂତ୍ରପାତ ହୋଇପାରେ । ଜଣାପଡ଼ିଛି ଯେ, ଅନେକ ପ୍ରଶାସନିକ ଅଧିକାରୀ ବହୁବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରିବା ପରେ କେନ୍ଦ୍ରକୁ ଯିବାକୁ ଚାହାଁନ୍ତି ନାହିଁ । ଗତବର୍ଷ ପଶ୍ଚିମବଙ୍ଗର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତୁମୁଳ ବିବାଦ ଉଠିଥିଲା । ଏହାଦ୍ୱାରା କେନ୍ଦ୍ରର ପାୱାର ବଢ଼ିଯିବ ଆଉ ରାଜ୍ୟମାନେ ପାୱାରଲେସ୍ ହୋଇଯିବ ବୋଲି ଅନେକ ଆଶଙ୍କା କରିଛନ୍ତି । ତେବେ କିଛି ରାଜ୍ୟରେ ଶାସନ କରୁଥିବା ଏନଡିଏର କିଛି ସହଯୋଗୀ ଦଳ ମଧ୍ୟ ଏହି ନିୟମ ବିରୋଧରେ ଛିଡ଼ା ହୋଇଛନ୍ତି ।

Get real time updates directly on you device, subscribe now.