fbpx

ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା ସଇଦ ଅହମଦ ଦୋଷୀ ସାବ୍ୟସ୍ତ: ୧ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଲାଗିଛି ଏକ ବଡ଼ ଝଟକା । ମଧ୍ୟପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରୀ ଏବଂ କଂଗ୍ରେସ ନେତା ସଇଦ ଅହମଦ ଏକ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ସଇଦଙ୍କୁ ୧ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ । ଏଥିସହିତ ସଇଦଙ୍କ ଉପରେ ୨ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି ।

ସୂଚନା ମୁତାବକ, ୨୦୧୪ ମସିହା ଠାରୁ ବିଚାରାଧୀନ ରହିଥିବା ଏକ ମାମଲାରେ ସଇଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ କୋର୍ଟ ଏହି ସଜ୍ଜା ଶୁଣାଇବା ପରେ ସଇଦଙ୍କୁ ଜାମିନ ମିଳିଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସରକାରରେ ସଇଦ ଅର୍ଥ ଏବଂ ବାଣିଜ୍ୟ କର ରାଷ୍ଟ୍ରମନ୍ତ୍ରୀ ରହିଥିଲେ । ଏହି ମାମଲା ବର୍ଷ ବର୍ଷ ଧରି ବିଚାରାଧୀନ ରହିଥିବା ବେଳେ ଏହାର ଶୁଣାଣି କରିବାକୁ ଗତ ମାସ ୩୦ ତାରିଖରେ ହାଇକୋର୍ଟ କହିଥିଲେ ।

ସଇଦଙ୍କ ପୁଅ ଅଲତମଶ ଅହମଦ ଓ ଶୈଲେଶ ତ୍ରିପାଠୀ ମିଶି ନ୍ୟାସନାଲ ଟ୍ରାନ୍ସପୋର୍ଟ ନାମରେ ଏକ ଫାର୍ମ ତିଆରି କରିଥିଲେ । ପରେ ୨୦୧୧ ମସିହା ଜାନୁଆରୀ ମାସ ୨ରୁ ଫାର୍ମରୁ ନିଜକୁ ଅଲଗା କରି ଅବସର ନେଇଥିଲେ ସଇଦ । ସେ ସମୟରେ ଫାର୍ମରେ ୧୦ ଲକ୍ଷ ୮୯ ହଜାର କ୍ୟାଶ ସମେତ ୧୨ ଲକ୍ଷ ୮୭ ହଜାର ୫୯୬ ଟଙ୍କାର ପୁଞ୍ଜି ରହିଥିଲା । ଏହି ପୁଞ୍ଜିର ଭରଣା ପାଇଁ ଶୈଲେଶଙ୍କୁ ସଇଦ ଏକ ଚେକ୍ ଦେଇଥିଲେ । ମାତ୍ର ତାହା ବାଉନ୍ସ ହୋଇଯାଇଥିଲା । ଏହାକୁ ନେଇ କୋର୍ଟରେ ମାମଲା ଦାୟର ହୋଇଥିଲା ।

Get real time updates directly on you device, subscribe now.