fbpx
BSKY
BJD SHG SKY
BJD MC SKY

ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲା ; ପ୍ରମାଣ ନଷ୍ଟ କରିବା ପାଇଁ ମୋବାଇଲ୍‌ ଓ ସମସ୍ତ ସିମ୍‌କୁ ନଦୀରେ ଫିଙ୍ଗି ଦେଉଥିଲା ଅଭିଯୁକ୍ତ

ଓଡିଶା ଭାସ୍କର; ଓଟିପି ଶେୟାରିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରାବେଳେ ଏସ୍‌ଟିଏଫକୁ ମିଳିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଆପରାଧିକ ଉଦ୍ଦେଶ୍ୟରେ ଓଟିପି ପଠାଇବା ପାଇଁ ଇକ୍‌ବାଲ ୩୭ଟି ମୋବାଇଲ ଓ ୫୦୦ ସିମ୍‌ ବ୍ୟବହାର କରିଛନ୍ତି। ଏପରି କି ପ୍ରମାଣ ନଷ୍ଟ କରିବା ପାଇଁ ଉକ୍ତ ମୋବାଇଲ୍‌ ଓ ସମସ୍ତ ସିମ୍‌କୁ ନଦୀକୁ ଫିଙ୍ଗି ଦେଉଥିଲା ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆସାମରୁ ଗିରଫ କରିଥିବା ମହମ୍ମଦ ଇକ୍‌ବାଲ ହୁସେନ ଶୁକ୍ରବାର ଜେଲ ଯାଇଛନ୍ତି। ଇକ୍‌ବାଲଙ୍କ ଘର ଆସାମର ନାଗଁଓ ଜିଲ୍ଲା ଜାଜୋରି ଥାନା ଅନ୍ତର୍ଗତ ଗାଣ୍ଡୁଆ ପଥର ଗାଁରେ ହୋଇଥିବାବେଳେ ସେ ପାକିସ୍ତାନୀ ଇଣ୍ଟେଲିଜେନ୍‌ସ ଅଫିସର ଅବ୍‌ଦୁଲ ହମିଦ ଓରଫ ଖୁରାମ୍‌ ସହ ଲିଙ୍କ୍‌ରେ ରହି ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଥିବା ସହଯୋଗୀଙ୍କ ସହ ମିଶି ଏହି ଦେଶଦ୍ରୋହୀ କାର୍ଯ୍ୟରେ ଲିପ୍ତ ଥିଲେ। ଏପରିକି ଅଭିଯୁକ୍ତ ଇକ୍‌ବାଲ ବହୁତ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ୍‌, ଟେଲିଗ୍ରାମ୍‌ ଆକାଉଣ୍ଟ୍‌ ଓ ବେନାମୀ ବା ମୁଲ୍‌ ଆକାଉଣ୍ଟକୁ ହମିଦ୍‌ଙ୍କୁ ଦେଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଓଡ଼ିଶାର ପଠାଣି ସାମନ୍ତଙ୍କ ସହ ଅନ୍ୟକେତେଜଣ ସହଯୋଗୀ ଗିରଫ ହେବା ଜାଣିବା ପରେ ସେ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ କରି ଲୁଚି ରହିଥିଲେ। ଇକ୍‌ବାଲ୍‌ ଏହି ଆପରାଧିକ କାର୍ଯ୍ୟକଳାପରେ ଗତ ୨ ବର୍ଷ ହେଲା ଯୋଡ଼ି ହୋଇ ହ୍ବାଟ୍‌ସଆପ୍‌, ଟେଲିଗ୍ରାମ୍‌, ଫେସ୍‌ବୁକ୍‌, ଟୁଇଟର୍‌, ଇନ୍‌ଷ୍ଟାଗ୍ରାମ୍‌, ଫେକ୍‌ ଆକ୍ଟିଭେଟେଡ୍‌ ସିମ୍‌ ଓ ମୁଲ୍‌ ଆକାଉଣ୍ଟ ଆଦିରୁ ଓଟିପି ଶେୟାର କରି ମାସିକ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରୁଥିଲେ। ସବୁଠାରୁ ବଡ଼ କଥା ହେଲା ତାଙ୍କ ଗାଁର ସବୁ ଯୁବକ ଏହି ସାଇବର ଅପରାଧରେ ସମ୍ପୃକ୍ତ ଥିବା ସେ ଏସ୍‌ଟିଏଫ୍‌କୁ ଜଣାଇଛନ୍ତି।

ପୂର୍ବରୁ ପୁଣେରୁ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅଭିଜିତଙ୍କୁ ପଚରାଉଚରାବେଳେ ଇକ୍‌ବାଲଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ତାଙ୍କୁ ଧରିବାକୁ ଯୋଜନା କରିଥିଲା। ଗତ ବୁଧବାର ଏସ୍‌ଟିଏଫ୍‌ ଟିମ୍‌ ଇକ୍‌ବାଲ୍‌କୁ ତାଙ୍କ ଗାଁରୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡି଼ଶା ଆଣି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା।

 

Get real time updates directly on you device, subscribe now.