fbpx
BJD SKY
BJD SKY

ସଭାପତି ନକହିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଚାଲୁ ରହିବ: ଓଡିଶା ଡ୍ରାଇଭର ମହାସଙ୍ଘର ସଦସ୍ୟ

BJD

ଭୁବନେଶ୍ୱର: ସାରା ଦେଶରେ ଡ୍ରାଇଭର ଆନ୍ଦୋଳନକୁ ନେଇ ଚିନ୍ତାଜନକ ପରିସ୍ଥିତି ଲାଗିରହିଥିବା ବେଳେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଓଡ଼ିଶାରେ ଏହି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ଯେଉଁ ସୂଚନା ମିଳିଥିଲା ସେଥିରେ ଏକ ଟ୍ଵିଷ୍ଟ ଦେଖା ଦେଇଛି। ଆନ୍ଦୋଳନ ସ୍ଥଗିତ ହେବା ନେଇ ଖୋଦ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିଲେ।

ତେବେ ଗତ ୩ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରି ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଥିଲା। ଏପରି ସ୍ଥିତିରେ ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ସୂଚନା ଦେଇଛନ୍ତି। ସେ ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି ଡ୍ରାଇଭର ମହାସଂଘ କର୍ମକର୍ତ୍ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ତାହା ଫଳପ୍ରଦ ହୋଇଛି। ୩ ବର୍ଷ ହେଲା ସେମାନେ କରି ଆସୁଥିବା ଦାବି ପୂରଣ କରାଯାଇଛି। ଫଳରେ ଆମ ଅନୁରୋଧ ରକ୍ଷା କରି ସେମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି। ହେଲେ ପରିବହନ କମିଶନରଙ୍କ ଏହି ସୂଚନା ପରେ ସଙ୍ଘ ପକ୍ଷରୁ ଭିନ୍ନ ମତ ଦିଆଯାଉଛି।

ଓଡ଼ିଶା ଡ୍ରାଇଭର ଆସୋସିଏଶନର କ୍ୟାସିୟର ଆଦିତ୍ୟ ପ୍ରସାଦ ବେହେରା କହିଛନ୍ତି, ଆମେ ୨ଟି ଦାବି ନେଇ ଆଲୋଚନା କରିଥିଲୁ। କେନ୍ଦ୍ର ସରକାରଙ୍କ ଆଇନକୁ ନେଇ ଆମେ ଅସନ୍ତୋଷ ଜାହିର କରିଥିଲୁ। ଓଡ଼ିଶା ସରକାରଙ୍କ ଘୋଷଣାକୁ ନେଇ ଆମେ ଖୁସି ଅଛୁ। କିନ୍ତୁ ଶେଷ ନିଷ୍ପତ୍ତି ଆମ ସଙ୍ଗଠନ ସଭାପତି ଜଣାଇବେ। ବର୍ତ୍ତମାନ ଆନ୍ଦୋଳନ ଜାରି ରହିଛି। ଆମ ସଭାପତି ରେଢାଖୋଲରୁ ଆଜି ହିଁ ସଂଘର ନିଷ୍ପତ୍ତି ଜଣାଇବେ। ଅନ୍ୟପଟେ କଟକ ଗୋପାଳପୁରରେ ଆନ୍ଦୋଳନ କରୁଥିବା ଡ୍ରାଇଭର କହିଛନ୍ତି, ଆନ୍ଦୋଳନ ସ୍ଥଗିତ କଥା ଆମେ ଜାଣିନୁ । କାହା ସହ କମିଶନର ଆଲୋଚନା କରି ସ୍ଥଗିତ ରଖିଲେ ଜାଣିନୁ । ଆମ ରାଜ୍ୟ ସଭାପତି ଏ ସମ୍ପର୍କରେ ଆମକୁ କିଛି କହିନାହାନ୍ତି । ସଭାପତି ନକହିବା ପର୍ୟ୍ୟନ୍ତ ଆମ ଆନ୍ଦୋଳନ ଚାଲୁ ରହିବ।

ସୂଚନା ଥାଉକି, କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି। ଯଦି କୌଣସି ଟ୍ରକ୍‌ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ। ତେବେ ପୂର୍ବରୁ ଯେଉଁ ଆଇନ୍‌ ଥିଲା ସେଥିରେ ହିଟ୍‌ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍‌ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା। ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ହିଟ ଆଣ୍ଡ ରନ ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

Get real time updates directly on you device, subscribe now.